ଖୁସିରେ ନାହାଁନ୍ତି ଦେଶର ଅଧିକାଂଶ କର୍ମଚାରୀ, ଅଫିସ ଟେନସନ ଆଣୁଛି ବିଷାଦ

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଅଧିକାଂଶ କର୍ମଚାରୀ କର୍ମକ୍ଷେତ୍ରର ଚାପ ଯୋଗୁଁ ହେଉଛନ୍ତି ବିଷାଦଗ୍ରସ୍ତ । ଜାତୀୟ ସ୍ତରର ସର୍ଭେରୁ ଜଣାପଡିଛି, ୫୨ ପ୍ରତିଶତ କର୍ମଚାରୀ କାମ କରି ବି ଖୁସି ପାଉନାହାନ୍ତି । ତେବେ ଯେଉଁ କମ୍ପାନୀ ଓ ସରକାରୀ ଦପ୍ତରରେ ବାବୁ କିମ୍ବା ମାଲିକ କର୍ମଚାରୀଙ୍କ ସୁଖଦୁଃଖରେ ଅଛନ୍ତି ସେଠି କମ୍ପାନୀ ବେଶୀ ଲାଭବାନ ହେଉଛି । ଏପରି କର୍ମଚାରୀଙ୍କ ସଂଖ୍ୟା ମାତ୍ର ୩୬ ପ୍ରତିଶତ । ବିଶେଷଜ୍ଞଙ୍କ ମତ, ଏବେ ବି ଭାରତୀୟ ମାଲିକ ବ୍ରିଟିଶ ଔପନିବେଶବାଦ ମାନସିକତା ଯାଇନି । ଏପରିକି ସରକାରୀ କର୍ମଚାରୀଟିଏ ବି ନିଜ ଉପରିସ୍ଥ ଅଧିକାରୀଙ୍କୁ ବ୍ୟବସ୍ଥାକୁ ସୁଧାରିବାକୁ ସାହସ କରିପାରୁନି । ଯେଉଁଠି କର୍ମଚାରୀ ସନ୍ତୋଷ ଓ ଖୁସି ଅଛନ୍ତି, ସେଠି ଉତ୍ପାଦିକତା ବଢିଚାଲିଛି ।
ବସ୍ ଇଜ୍ ଅଲଓ୍ବେଜ୍ ରାଇଟ୍ । ଯାହା କୁହାଯାଉଛି ତା’ କର , ନଚେତ ଚାକିରି ଯିବ । ସରକାରୀ ଚାକିରିଆ ହେଲେ ବଦଳି ହୋଇଯିବ । ଏ ହେଉଛି ଆଜିର ଭାରତରେ ତଳିଆ କର୍ମଚାରୀଙ୍କ ଭାଗ୍ୟ । ଦେଶରେ ଅଧିକାଂଶ କର୍ମଚାରୀ ଅଫିସ ଟେନସନ ଯୋଗୁଁ ବିଷାଦଗ୍ରସ୍ତ । ଏକ ଜାତୀୟ ସର୍ଭେ କହୁଛି, ୫୨ ପ୍ରତିଶତ କର୍ମଚାରୀ ସେମାନଙ୍କ କାମରେ ଖୁସି ନାହାନ୍ତି । ଉପରିସ୍ଥ ଅଧିକାରୀ କିମ୍ବା ମାଲିକ କର୍ମଚାରୀଙ୍କ ସହ ମିଳିମିଶି କାମ କରୁଛି ଯେଉଁଠି ସେଠି ଖୁସିରେ ଅଛନ୍ତି କର୍ମଚାରୀ । ଏମାନଙ୍କ ସଂଖ୍ୟା ମାତ୍ର ୩୬ ପ୍ରତିଶତ । ଏ ନେଇ ବିଭିନ୍ନ କ୍ଷେତ୍ରର ୨ ହଜାର ୭୬୩ ଜଣ କର୍ମଚାରୀଙ୍କୁ ନେଇ ସର୍ଭେ କରାଯାଇଥିଲା । ଏ ଚିତ୍ର ସବୁଠି ଥିଲେ ବି ୧୪ ପ୍ରତିଶତ ମୁହଁରୁ ଉଁ କି ଚୁଁ ପଦୁଟିଏ କହିବାକୁ ଡରୁଛନ୍ତି ।
ପୂର୍ବତନ ପୋଲିସ ପ୍ରଶାସକ ଓ ବିଶେଷଜ୍ଞଙ୍କ ଅଭିଯୋଗ, ଏ ପର୍ଯ୍ୟନ୍ତ ଦେଶରେ ଉପରିସ୍ଥ ଅଧିକାରୀ, ମାଲିକ ଓ ବାବୁଙ୍କ ମନରୁ ବ୍ରିଟିଶ ଔପନିବେଶବାଦର ଗୋଲାମୀ ମାନସିକତା ଯାଇନି । ଘରୋଇ କ୍ଷେତ୍ରରେ ଚାକିରି ଯିବା ଭୟ ସବୁବେଳେ ରହିଥାଏ । କମ୍ପାନୀର ସମସ୍ୟା ବେଳେ ଛୋଟ କର୍ମଚାରୀଟି ସମାଧାନ ବାଟ ଦେବାକୁ ଇଚ୍ଛା କଲେ ବି ମାଲିକ ପାଖରେ ପହଞ୍ଚି ପାରୁନି । ଫଳରେ ତା’ର ବ୍ୟକ୍ତିଗତ ଓ ବୃତ୍ତିଗତ କ୍ୟାରିୟର ପ୍ରଭାବିତ ହେଉଛି ।
ସର୍ଭେ କହୁଛି, ୪୦ ପ୍ରତିଶତ ଅନୁଭବ କରୁଛନ୍ତି କମ୍ପାନୀ ତାଙ୍କୁ ନୂଆ ଚିନ୍ତାଧାରା ନେଇ କାମ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେଉନି । ମେସିନ ଭଳି ଚିରାଚରିତ ଢଙ୍ଗରେ କାମ କରିବାକୁ ବାଧ୍ୟ କରାଯାଉଛି । ୭୯ ପ୍ରତିଶତ କର୍ମଚାରୀଙ୍କ ମତ, ଯୋଗ୍ୟତା ଥାଇ ଅଫିସରେ ତାଙ୍କୁ ବସ୍ ଅଣଦେଖା କରୁଛନ୍ତି । ଫଳରେ ସେ ମାନସିକ ଚାପଗ୍ରସ୍ତ ଯୋଗୁଁ ନା ଘରେ ଶାନ୍ତିରେ ଶୋଇପାରୁଛନ୍ତି ନା ଅଫିସରେ ଭଲରେ କାମ କରିପାରୁଛନ୍ତି । ୪୭ ପ୍ରତିଶତଙ୍କ ମତ ଏବର କାର୍ଯ୍ୟ ତାଙ୍କ କ୍ୟାରିୟର ଗଠନରେ ସହାୟକ ହେବନି । ୬୮ ପ୍ରତିଶତଙ୍କ ଅସନ୍ତୋଷ ହେଲା, ସହକର୍ମୀଙ୍କଠାରୁ କମ ଦରମା ମିଳୁଥିବାରୁ ସେମାନଙ୍କର କାମ କରିବାର ଆଗ୍ରହ ମରିଯାଉଛି । ୮୯ ପ୍ରତିଶତଙ୍କ କହିବା କଥା, ଯଦି ମାଲିକ କର୍ମଚାରୀଙ୍କୁ ଖୁସିରେ ରଖିବାକୁ ଉଦ୍ୟମ କରନ୍ତେ ତେବେ ଉତ୍ପାଦିକତା ଶତ ପ୍ରତିଶତ ହାସଲ ହୋଇପାରନ୍ତା । ବିଶିଷ୍ଟ ଶିଳ୍ପପତିଙ୍କ ମତରେ ଧୀରେ ଧୀରେ ଏ ମାନସିକାତାରେ ପରିବର୍ତ୍ତନ ହେବାରେ ଲାଗିଛି । କିନ୍ତୁ ସରକାରୀ ବ୍ୟବସ୍ଥାରେ ବ୍ୟୁରୋକ୍ରାଟିକ୍ ମାନସିକତାରେ ପରିବର୍ତ୍ତନ ହୋଇନି ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ, ମାନବସମ୍ବଳ ହେଉଛି ପୁଞ୍ଜି । କର୍ପୋରେଟ୍ ସଂସ୍ଥା ହେଉ କି ସରକାରୀ ଦପ୍ତର, ଯିଏ ବାବୁ, ସାମନ୍ତବାଦୀ ମାନସିକାତାରୁ ଉପରକୁ ଉଠି ନିଜ ମାନବସମ୍ବଳକୁ ସୁପରିଚାଳନା କରିପାରିଛନ୍ତି ସେଠି ସେ କର୍ମଚାରୀଙ୍କ ପ୍ରିୟଭାଜନ ହେବା ସହ ଦୁର୍ନୀତିକୁ ରୋକି ପାରିଛନ୍ତି ।