ପ୍ରେମ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ପ୍ରେମ ବିବାହ ଯୋଗୁ ହେଉଛି ଅଧିକାଂଶ ଛାଡ଼ପତ୍ର

ନୂଆଦିଲ୍ଲୀ: ପ୍ରେମ ବିବାହକୁ ନେଇ ବୁଧବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶରେ ହେଉଥିବା ଅଧିକାଂଶ ଛାଡ଼ପତ୍ରର ପ୍ରମୁଖ କାରଣ ହେଉଛି ପ୍ରେମ ବିବାହ । ବୁଧବାର ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ବି.ଆର୍ ଗଭାଇ ଓ ସଂଜୟ କାରୋଲଙ୍କ ଖଣ୍ଡପୀଠ ରଖିଛନ୍ତି ଏହି ଟିପ୍ପଣୀ ।

ବୁଧବାର ବୈବାହିକ ବିବାଦ ମାମଲାର ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ବିଚାରପତି ବି.ଆର୍ ଗଭାଇ ଓ ସଂଜୟ କାରୋଲଙ୍କ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ଶୁଣାଣି ସମୟରେ ଜଣେ ଆବେଦନକାରୀଙ୍କ ଓକିଲ ଦର୍ଶାଇଥିଲେ କି ଏହା ପ୍ରେମ ବିବାହ ଥିଲା । ଏହା ଉପରେ ମନ୍ତବ୍ୟ ଦେଇ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ଜଷ୍ଟିସ୍ ବି.ଆର ଗବାଇ କହିଥିଲେ କି ଭାରତରେ ଅଧିକାଂଶ ଛାଡ଼ପତ୍ର ହିଁ ପ୍ରେମ ବିବାହ ପରେ ଆସୁଛି । କୋର୍ଟ ଆବେଦନକାରୀ ଦମ୍ପତ୍ତିଙ୍କୁ ମଧ୍ୟସ୍ଥତା ଦ୍ୱାରା ବିବାଦ ତୁଟାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହା ତାଙ୍କ ସ୍ୱାମୀ ବିରୋଧ କରିଥିଲେ ।

ମଧ୍ୟସ୍ଥତାକୁ ସ୍ୱାମୀ ବିରୋଧ କରିବା ପରେ କୋର୍ଟ କହିଥିଲେ କି ନିକଟରେ ଦିଆଯାଇଥିବା ଏକ ରାୟ ଅନୁସାରେ ସ୍ୱାମୀଙ୍କ ସହମତି ବିନା କୋର୍ଟ ଛାଡ଼ପତ୍ର ନିଷ୍ପତ୍ତି ଶୁଣାଇପାରିବେ । ତେବେ ଯେଉଁ କ୍ଷେତ୍ରରେ ଆପୋସ ଆଲୋଚନାର ସମସ୍ତ ବାଟ ବନ୍ଦ ହୋଇଯାଇଥିବା ଏବଂ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମାଧାନ ଆଉ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ପ୍ରତିୟମାନ ହେଉଥିବା, ସେହିଭଳି କ୍ଷେତ୍ରରେ ସମ୍ବିଧାନର ୧୪୨(୧) ଅଧୀନରେ ନିଜ କ୍ଷମତା ବ୍ୟବହାର କରି ସର୍ବୋଚ୍ଚ ଅଦାଲତ ଛାଡ଼ପତ୍ର ଆଦେଶ ଦେଇପାରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ ।