୫ଟି ମହାନଗର ନିଗମରେ ଆଜିଠୁ ବସ୍ତି ବାସିନ୍ଦାଙ୍କ ସର୍ଭେ, ଉପକୃତ ହେବେ ଅଢ଼େଇ ଲକ୍ଷ ପରିବାର

ଭୁବନେଶ୍ବର: ସହରରେ ନିଜ ଜମିର ମାଲିକ ହେବେ ବସ୍ତିବାସିନ୍ଦା । ଆଜିଠୁ ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ସର୍ଭେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଜାଗା ମିଶନ ଜରିଆରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରରେ ସର୍ଭେ କରାଯିବ । ଟାଟା ଟ୍ରଷ୍ଟ ଫାଉଣ୍ଡେସନ ଓ ସୂତ୍ର ଏଜେନ୍ସି ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ଏରିଏଲ ଡ୍ରୋନ ସର୍ଭେ ସହ ଡୋର ଟୁ ଡୋର ସର୍ଭେ କରାଯିବ । ଭୁବନେଶ୍ବରରେ 436ଟି ପଞ୍ଜିକୃତ ବସ୍ତିର 91ହଜାର 842 ପରିବାରଙ୍କୁ ଏହି ଜାଗା ମିଶନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସର୍ଭେ ତଥ୍ୟ ସଂଗ୍ରହ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବନିମ୍ନ 30ବର୍ଗ ମିଟରରୁ ସର୍ବାଧିକ 45 ବର୍ଗ ମିଟର ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଯିବ । ପୂର୍ବରୁ ରାଜ୍ୟର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକାରେ ସର୍ଭେ ଶେଷ ହୋଇଥିବା ବେଳେ ଏବେ 5ଟି ମହାନଗର ନିଗମରେ ସର୍ଭେ ଆରମ୍ଭ ହେବ ।

୫ଟି ମହାନଗର ନିଗମରେ ଉପକୃତ ହେବେ ଅଢ଼େଇ ଲକ୍ଷ ପରିବାର । ରାସ୍ତା ସାଙ୍ଗକୁ ଘରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ୭୦୭ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ଭାବେ ରୂପାନ୍ତରିତ କରାଯିବ ।