ଅଗ୍ନିପଥ ନିଆଁରେ ଘିଅ ଢାଳିଥିଲେ ହଜାରରୁ ଅଧିକ, ବିହାରରେ ସର୍ବାଧିକ

ନୂଆଦିଲ୍ଲୀ: ଅଗ୍ନିପଥକୁ ନେଇ ବିରୋଧ ପ୍ରଦର୍ଶନର ବେଗ କମିବା ପରେ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଡା  କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ପୋଲିସ । ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ଗିରଫ କରିସାରିଲାଣି ପୋଲିସ  । ଯେଉଁଥିରେ ବିହାରରୁ ସର୍ବାଧିକ ରହିଛନ୍ତି  । ଟ୍ରେନରେ ନିଆଁ ଲଗାଇବା ସହ ସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ୮୦୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ଆନ୍ଦୋଳନ ଆଳରେ ସାର୍ବଜନିକ ସମ୍ପତ୍ତିକୁ ଟାର୍ଗେଟ କରୁଥିବା ବିକ୍ଷୋଭକାରୀଙ୍କ କାଣ୍ଡ କ୍ଷମଣୀୟ ନୁହେଁ । ସେମାନଙ୍କୁ ଧରିବା ପାଇଁ ପ୍ରତି ଜିଲ୍ଲା ପୋଲିସକୁ ଆଲର୍ଟ କରିଥିବା କହିଛି ବିଭାଗ । ସେହିପରି ପଥରମାଡ ପାଇଁ ଉସକାଇଥିବା ମସୌରୀର ୪ କୋଚିଂ ସଂସ୍ଥା ନାଁରେ ଥାନାରେ ଅଭିଯୋଗ ହୋଇଛି । ସହରରେ ହିଂସା ପାଇଁ ଉସକାଇଥିବା ଅଭିଯୋଗରେ ୧୯୧ ଜଣଙ୍କୁ ଗିରଫ କରିଛି ବିହାରର ପାଟନା ପୋଲିସ  ।

ସିକନ୍ଦରାବାଦ ରେଳଷ୍ଟେସନରେ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ଅଭିଯୋଗରେ ତେଲେଙ୍ଗାନା ପୋଲିସ ୪୬ ଜଣଙ୍କୁ ଗିରଫ କରିଛି ।ହିଂସାରେ କୌଣସି ବାହାର ଲୋକଙ୍କ ସଂପୃକ୍ତି ନଥିବା କହିଛି ପୋଲିସ  । ବରଂ ସେନାରେ ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଉସକାଇଥିଲେ କୋଚିଂ ସଂସ୍ଥାର ନିର୍ଦ୍ଦେଶକ  । ସନ୍ଦିଗ୍ଧ ମାଷ୍ଟରମାଇଣ୍ଡଙ୍କୁ କାବୁ କରିଛି ପୋଲିସ । ଆହୁରି ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରିବା ସହ ଗିରଫଦାରୀ ବଢିବା ନେଇ ସମ୍ଭାବନା ରହିଛି  । ଉତ୍ତର ପ୍ରଦେଶରେ ମଧ୍ୟ ହିଂସା ପ୍ରଦର୍ଶନ କରି ୩୮୭ ଜଣ ଗିରଫ ହୋଇଛନ୍ତି । ଅପରାଧିକ ପ୍ରକ୍ରିୟା ଧାରା ୧୫୧ ଅନୁସାରେ ୧୪୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  । ୨୪୨ ଜଣଙ୍କ ବିରୋଧରେ ହିଂସା ସମ୍ବନ୍ଧିତ ମାମଲା ଦାଏର ହୋଇଛି ।

ଅହମ୍ମଦାବାଦରେ ଅଗ୍ନିପଥକୁ ବିରୋଧ କରି ବିନା ଅନୁମତିରେ ଏକାଠି ହେବା ପରେ ୧୪ ଜଣଙ୍କୁ ଅଟକ ରଖିଛି ପୋଲିସ । ସେହିପରି ଉତ୍ତରାଖଣ୍ଡରେ ୩୦୦ ରୁ ୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି  ।