ସରକାରୀ କଳର ଏ କି ସ୍ଥିତି: ଶହେରୁ ଅଧିକ ହିତାଧିକାରୀଙ୍କୁ ୩ ମାସ ହେଲା ମିଳୁନି ଭତ୍ତା

ଆଠଗଡ଼: ଚମ ଧୁଡୁଧୁଡୁ ସାଙ୍ଗକୁ ମୁଣ୍ଡ ଚୁଟି ପାଚିଗଲାଣି । ଭୋଟ ପରିଚୟ ପତ୍ରରେ ବୟସ ଭୁଲ ଥିବାରୁ ଡାକ୍ତର ସାର୍ଟିଫିକେଟ ଜରିଆରେ ଭତ୍ତା ପାଉଥିଲେ । ହେଲେ ତିନି ମାସ ହେବ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୟସ ହୋଇନଥିବା ଦର୍ଶାଇ ଭତ୍ତା ଦିଆଯାଉନାହିଁ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ଆଠଗଡ ବ୍ଲକର କୁମାରପୁର ପଞ୍ଚାୟତରୁ । ଏଠାକାର ୧୦୦ ରୁ ଅଧିକ ହିତାଧିକାରୀଙ୍କ ଭତ୍ତା କାଟି ଦିଆଯାଇଛି । ତେଣୁ ଏ ବୟସରେ କିଭଳି ନିଜର ଗୁଜୁରାଣ ମେଣ୍ଟାଇବେ ସେନେଇ ଆଠଗଡ ବିଡିଓଙ୍କୁ ଭେଟି ଭତ୍ତା ପାଇଁ ନିବେଦନ କରିଛନ୍ତି ହିତାଧିକାରୀ ।

କୁମାରପୁର ପଞ୍ଚାୟତରେ ବହୁ ଅଯୋଗ୍ୟ ହିତାଧିକାରୀ ଭତ୍ତା ପାଉଥିବା ନେଇ ଅଭିଯୋଗ ପରେ ୧୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଭତ୍ତା ଟଙ୍କା ସ୍ଥଗିତ ରଖାଯାଇଛି । ଅଞ୍ଚଳକୁ ଏକ ଡାକ୍ତରୀ ଟିମ୍ ପଠାଯାଇ ତଦନ୍ତ କରାଯିବା ପରେ ଭତ୍ତା ଟଙ୍କା ପୂର୍ବ ପରି ମିଳିବ ବୋଲି କହିଛନ୍ତି ବିଡିଓ । ସରକାରୀ ଯୋଜନାରେ ଠିକ ଭାବରେ ତଦନ୍ତ ହୋଇନଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ୩ ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ତେଣୁ ତୁରନ୍ତ ଏହି ଘଟଣାରେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଯୋଗାଇଦେବାକୁ ଦାବି ଜୋର ଧରିଛି ।