ବିଜେଡିରେ ମିଶିଲେ ବିଜେପିର ୪ ଶହରୁ ଅଧିକ କର୍ମୀ

ନୟାଗଡ଼: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବଢ଼ିବାରେ ଲାଗିଛି ବିଜେଡି ବଳ । ନୟାଗଡ଼ରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ନୟାଗଡ ବିଜେଡି କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଓ ନୟାଗଡ଼ ପୌର ପରିଷଦର ୪ ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ । ରାଜନୀତି ସହ ସେବା ମୋ ଜୀବନର ଲକ୍ଷ୍ୟ ବୋଲି କହିଥିଲେ ଅରୂପ ପଟ୍ଟନାୟକ । କରେନା ମହାମାରୀ ସମୟରୁ ଓଡ଼ିଶା ମୋ ପରିବାର ସେବା ପାଇଁ ବଳିଷ୍ଠ ଉଦ୍ୟମ ବୋଲି କହିଥିଲେ । ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି । ସେହିପରି ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ ଲଢେଇ କରିବାରେ ସମର୍ଥ ରହିଛି ବୋଲି କହିଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନୟାଗଡ଼ ପ୍ରତି ରହିଛି । ସବୁବେଳେ ବିକାଶକୁ ଗୁରୁତ୍ଵ ଦେଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଉନ୍ନତୀକରଣ ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ପରିକଳ୍ପନା ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନାଙ୍କ ସହ ଅନ୍ୟ ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ ।