ଶିବରାତ୍ରିରେ ଚମତ୍କାର; ଶହେରୁ ଅଧିକ ତମ୍ବା ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର

କଟକ : ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ନିକଟ ମହାନଦୀର ସୁବର୍ଣ୍ଣପୁର ଘାଟରୁ ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କୀ ମହାନଦୀ ପଠାର ସୁବର୍ଣ୍ଣପୁର ଘାଟରେ କିଛି ପିଲା ଗାଧୋଉଥିବା ବେଳେ ପାଣିରେ ମୂର୍ତ୍ତି ପଡ଼ିଥିବା ଜାଣିବାକୁ ପାଇଥିଲେ। ପରେ ମତ୍ସ୍ୟଜୀବୀଙ୍କ ସହାୟତାରେ ଏହି ନାଗମୂର୍ତ୍ତି ଗୁଡିକ ଉଦ୍ଧାର କରାଯାଇଥିଲା। ଏସବୁ ପ୍ରାଚୀନ ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି ।

ଉଦ୍ଧାର ପରେମୂର୍ତ୍ତିଗୁଡିକୁ ସ୍ଥାନୀୟ ପଞ୍ଚାୟତ ଅଫିସରେ ରଖାଯାଇଛି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ପବିତ୍ର ଜାଗର ଅବସରରେ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ମିଳିଥିବାରୁ ଦେଖିବାକୁ ମହାନଦୀ ପଠାରେ ଲୋକମାନେ ଭିଡ଼ ଲଗାଇଛନ୍ତି । ଲୋକମାନେ କ୍ଷୀର ଢାଳି ପୂଜା ଆରମ୍ଭ କରିଦେଇଛନ୍ତି। ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୋଲିସ ପହଞ୍ଚିଥିବା ବେଳେ ଗାଁରେ ଥିବା ମଠରେ ମୂର୍ତ୍ତିସବୁ ରଖିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି । ଏସବୁ ମୂର୍ତ୍ତି କେଉଁଠାରୁ ଆସିଲା ତାହା ଜଣାପଡ଼ିନାହିଁ ।