୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା । ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେଉଛି । ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ମୋଟ ୯୩ ହଜାର ୯୬୬ଜଣ ଆଶାୟୀ ପରୀକ୍ଷା ଦେବେ । ଲିଖିତ ପରୀକ୍ଷା କମ୍ପ୍ୟୁଟର୍ ବେସଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବ ।

ପରୀକ୍ଷାର ସୁପରିଚାଳନା ପାଇଁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭର୍ଚୁଆଲରେ ଏକ ପ୍ରସ୍ତୁତି ବୈଠକ କରିଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ଓ ଏସପିଙ୍କୁ ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ ନୋଡାଲ୍ ଅଫିସର ଓ ବିଭିନ୍ନ ନିର୍ଦ୍ଦେଶାଳୟର ୧୮ଜଣ ବରିଷ୍ଠ ଅଧିକାରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ପରୀକ୍ଷାର ତଦାରଖ କରୁଛନ୍ତି ।

ଏହାସହ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟରେ ଏକ କମାଣ୍ଡ ସେଣ୍ଟର୍ ଖୋଲାଯାଇଛି । ସେଠାରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିରେ ଲାଇଭ୍ ଷ୍ଟ୍ରିମିଂ ଦେଖି ପରୀକ୍ଷା ନିୟନ୍ତ୍ରଣ ସମ୍ପର୍କିତ ନିର୍ଦ୍ଦେଶ ଦିଆଯାଉଛି । ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଓସେପା କାର୍ଯ୍ୟାଳୟ ଏବଂ ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ଓ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୁବିଧା କେନ୍ଦ୍ର ଖୋଲାଯାଇଛି । ପରୀକ୍ଷା ଆଜିଠୁ ୧୭ ତାରିଖ ଯାଏ ଦିନକୁ ଦୁଇଟି ସିଟିଂରେ ହେଉଥିବାବେଳେ ପରୀକ୍ଷା ସରିବାର ୧୫ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ।