ଆମେରିକାରେ ଅଣାୟତ୍ତ କରୋନା: ୭ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନ୍ୟୁୟର୍କ: ଆମେରିକାରେ ଅଣାୟତ୍ତ ହୋଇପଡ଼ିଛି କରୋନା । ଦିନକୁ ଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଇତିମଧ୍ୟରେ ଶନିବାର ସକାଳ ୧୧ଟା ସୁଦ୍ଧା ଏଯାବତ୍‌ ମୋଟ ୭ଲକ୍ଷ ୧୦ ହଜାର ୨୭୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ୩୭ ହଜାର ଟପିଥିବା ବେଳେ  ମୋଟ ୬୩ ହଜାର ୫ଶହ ୧୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ତା’ ପଛକୁ ରହିଛି ସ୍ପେନ୍‌ । ସେଠାରେ ମୋଟ ୧ଲକ୍ଷ ୯୦ ହଜାର ୮୩୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ।  ତେବେ ୭୪ ହଜାର ୭୯୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ପୂର୍ବପେକ୍ଷା ସ୍ପେନ୍‌ରେ ଆକ୍ରନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି । ତେବେ ଆମେରିକା ପରେ କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଛି  । ୨୨ ହଜାରୁ ଅଧିକ ଲୋକଙ୍କର ଏଠାରେ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୬୮ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । କରୋନା ଯୋଗୁଁ ସାରା ବିଶ୍ୱରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ଦେଢ଼ ଲକ୍ଷଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

Leave a Reply