‘ଯୋଗ ଦିବସ’ରେ ରେକର୍ଡ ସଂଖ୍ୟକ ଟିକାକରଣ; ଦିଆଗଲା ୭୦ ଲକ୍ଷ ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ଲାଗି ଆଜିଠାରୁ ମାଗଣା ଭ୍ୟାକ୍ସିନେସନ୍ ଅଭିଯାନ ଜୋରଦାର କରାଯାଇଛି । ଆଉ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ତଥା ପ୍ରଥମ ଦିନରେ ହିଁ ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି। ସରକାରଙ୍କ ପରିସଂଖ୍ୟାନ ଅନୁଯାୟୀ, ଏପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନର ପ୍ରାୟ ୭୦ ଲକ୍ଷରୁ ଅଧିକ ଡୋଜ୍ ଦିଆଯାଇଛି ।

କେନ୍ଦ୍ର ସରକାର ଆଜି ଠାରୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରୁଛନ୍ତି । ଏନେଇ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ। କେନ୍ଦ୍ର ସରକାର ଟିକା ଉତ୍ପାଦନର ୭୫% ଅଂଶ ନିଜେ କିଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାକି ୨୫% ଘରୋଇ ହସ୍ପିଟାଲ୍ ଗୁଡିକ ଦ୍ୱାରା କିଣାଯିବ ।

କେନ୍ଦ୍ର ସରକାର ନିଜେ ଟିକା କିଣି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ । ହେଲେ ପୂର୍ବରୁ ରାଜ୍ୟ ମାନଙ୍କୁ ଟିକା କିଣିବାକୁ କୁହାଯାଇଥିଲା । ଆଜି ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ୭୦ ଲକ୍ଷରୁ ଅଧିକ ଡୋଜ୍ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ତେବେ ଭାରତରେ କ୍ରମାଗତ କମି ଚାଲିଛି କରୋନା ଗ୍ରାଫ। ଦେଶରେ ଏଯାବତ୍ ମୋଟ୍ ଆକ୍ଟିଭ କେସ୍ ରହିଛି ୭ ଲକ୍ଷ ୨ ହଜାର ୮୮୭।  ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ଓ ୩ ଲକ୍ଷ ୮୮ ହଜାର ୧୩୫ ଜଣକ ଜୀବନ ନେଇଛି ଭାଇରସ। ସେହିଭଳି ଟିକାକରଣରେ ସାମିଲ ହୋଇଛନ୍ତି ୨୮ କୋଟି ୩୬ ହଜାର ୮୯୮ ଜଣ।

Leave a Reply