ଗାଜାରେ ଫସିଥିବା ୬୦ଟି ଦେଶର ୭ ହଜାର ବିଦେଶୀ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ

1 min read

ଗାଜା: ଘନୀଭୂତ ହେଉଛି ଇସ୍ରାଏଲ-ହମାସ ଯୁଦ୍ଧସ୍ଥିତି । ସରୁନି ଗାଜାବାସୀଙ୍କ ଦୁର୍ଦ୍ଦଶା । ଗାଜାରେ ଫସିଥିବା ୬୦ଟି ଦେଶର ୭ ହଜାର ବିଦେଶୀ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଲାଗି ବହୁ ଦେଶ ଘୋଷଣା କରିଛନ୍ତି । ରାଫା କ୍ରସିଂ ଦେଇ ଏହି ଉଦ୍ଧାର ପ୍ରକ୍ରିୟା ଚାଲିବ । ବିଦେଶୀମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଇଜିପ୍ଟ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ପୂର୍ବରୁ ଫ୍ରାନ୍ସ, ବ୍ରିଟେନ ଓ ଆମେରିକା ନିଜ ଦେଶର ନାଗରିକଙ୍କୁ ପ୍ରତ୍ୟାହାର କରିବା ଲାଗି ଘୋଷଣା କରିଥିଲେ । ସେପଟେ ଗାଜା ଉପରେ ଇସ୍ରାଏଲ ୧୦ ହଜାରରୁ ଅଧିକ ବୋମା ପକାଇଲାଣି ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଗାଜାର ପ୍ରୟା ୯ ହଜାର ଲୋକ ପ୍ରାଣ ହରାଇଲେଣି ବୋଲି କହିଛି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ଇସ୍ରାଏଲ ଉପରେ ଅକ୍ଟୋବର ୭ ହମଲା ପରି ଅଧିକ ଆକ୍ରମଣ ଚାଲିବ ବୋଲି ଧମକ ଦେଇଛନ୍ତି ହମାସ ମୁଖପାତ୍ର ଘାଜି ହମ୍ମଦ ।

ସେ କହିଛନ୍ତି- ଇସ୍ରାଏଲକୁ ଉଚିତ ଶିକ୍ଷା ଦିଆଯିବ । ଗାଜାରୁ ଇସ୍ରାଏଲକୁ ସମ୍ପୂର୍ଣ୍ଣ ନ ହଟାଇବା ଯାଏ ଏହି ସଂଗ୍ରାମ ଚାଲିବ । ବର୍ତ୍ତମାନ ସୁଦ୍ଧା ପ୍ରାଣହରାଇଥିବା ସହିଦମାନଙ୍କ ଲାଗି ହମାସ ଗର୍ବ ଅନୁଭବ କରେ ବୋଲି ସେ କହିଛନ୍ତି ।