ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ ପାଇଁ ସରକାର ଆଣିବେ ୟୁନିଫର୍ମ ପଲିସି

ଭୁବନେଶ୍ବର: ରାଜ୍ୟର ୨୪ଟି ଜିଲ୍ଲାରେ ଚିହ୍ନଟ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୬୦ହଜାର ୪୨୬.୯୪୩ ଏକର ଜମି । ସେହିପରି ୩୮ ହଜାର ୬୧.୮୨୯ ଏକର ଜମିର ସ୍ୱତ୍ୱଲିପି ରହିଛି । ଯାହାର ଡିଜିଟାଇଜେସନ କାମ ସରିବ । ବାକି ୨୨ ହଜାର ଏକରର ଆରଓଆର ଯୋଗାଡ଼ ସରିବା ପରେ ଡିଜିଟାଇଜେସନ କରାଯିବ ।
ସେହିପରି ୬ଟି ରାଜ୍ୟରେ ୩୯୫.୨୫ ଏକରର ଜଗନ୍ନାଥ ଜମି ରହିଛି । ସର୍ବାଧିକ ଜମି ପଶ୍ଚିମବଙ୍ଗରେ ଥିବା ନେଇ ରେକର୍ଡ କରାଯାଇଛି । ରାଜ୍ୟର ୭ଟି ଜିଲ୍ଲାରେ ୧୬୮.୮୬ ଏକର ଜଗନ୍ନାଥ ଜମି ଅବରୋଧ ହୋଇଛି । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୬ ଏଆଇ ଅନୁସାରେ ୯୭୪ ମାମଲା ରୁଜୁ ହୋଇଛି । ଯେଉଁମାନେ ଦୀର୍ଘ ଦିନ ଧରି ଜଗନ୍ନାଥ ଜମି ଅବରୋଧ କରିଥିଲେ, ସେମାନଙ୍କ ପାଇଁ ୨୦୦୩ରେ ଏକ ୟୁନିଫର୍ମ ପଲିସି ଆସିଥିଲା । ଯେଉଁଥିରେ ଶହେ ଡିସିମିଲ ଜମି କନସେସନରେ ମିଳିବାର ନିୟମ କରାଯାଇଥିଲା । ବାକି ଜମି ବେଞ୍ଚ ମାର୍କ ଭାଲ୍ୟୁରେ ଦିଆଯିବାର ନିୟମ ହୋଇଥିଲା । ଯାହା ୨୦୧୯ରେ ସଂଶୋଧନ ହୋଇଥିଲା । ନୂଆ ସରକାର ତିନି ମାସରେ ୟୁନିଫର୍ମ ପଲିସି ଆଣିବେ । ଏଥିରେ ଲ୍ୟାଣ୍ଡ ସେଟଲମେଣ୍ଟ ପ୍ରକ୍ରିୟା ଜରିଆରେ ଶହେ ଡିସିମିଲ ଜମି କନସେସନ ରେଟରେ ଫେରାଯିବ ବୋଲି ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।