ବିଶ୍ବର ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ଲିକ୍, ତାଲିକାରେ ରହିଛି ଭାରତ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ଡାଟା ହ୍ୟାକ୍ । ପ୍ରାୟ 50 କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ଲିକ୍ । କେବଳ ଲିକ୍ ହୋଇନାହିଁ ଅନେକ ଗୋପନୀୟ ତଥ୍ୟକୁ କରାଯାଉଛି ବିକ୍ରି । ବିଶ୍ବର 84ଟି ଦେଶର 50 କୋଟିରୁ ଅଧିକ ୟୁଜରଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ହ୍ୟାକ୍ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ସାଇବର ନ୍ୟୁଜର ତଥ୍ୟ ଅନୁସାରେ ଏକ ସ୍ବତନ୍ତ୍ର ହ୍ୟାକିଂ ଫୋରମରେ ଏହି ଡାଟା ଲିକ୍ ହୋଇଛି ।

କେବଳ ଆମେରିକୀୟ ୟୁଜରଙ୍କ ପ୍ରାୟ 32 ନିୟୁତ ରେକର୍ଡ ହ୍ୟାକ ହେବା ସହ ବିକ୍ରି ହେବାରେ ଲାଗିଛି । ଯେଉଁ ଦେଶର ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଛି ସେହି ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ବ୍ରିଟେନ, ଆମେରିକା, ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ଋଷ ଆଦି ରାଷ୍ଟ୍ର । ଆମେରିକାର ଡାଟାସେଟର ଦାମ୍ 7 ହଜାର ଡଲାର ରହିଥିବା ବେଳେ ବ୍ରିଟେନର ଡାଟାସେଟର ଦାମ୍ ରହିଛି ଅଢ଼େଇ ହଜାର ଡଲାର । ଯେଉଁ ବିକ୍ରେତା ଏହି ଡାଟା ହ୍ୟାକ୍ କରିଛନ୍ତି ତାଙ୍କ ସହ ସାଇବର ନ୍ୟୁଜ ଯୋଗାଯୋଗ କରିବା ପରେ ବ୍ରିଟେନର 1 ହଜାର 97 ଜଣଙ୍କ ତଥ୍ୟ ପ୍ରମାଣ ସ୍ବରୂପ ବିକ୍ରେତା ଦେଇଥିବା କୁହାଯାଇଛି ।

ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଥିଲା ସେହି 1 ହଜାର 97 ଜଣ ହେଉଛନ୍ତି ବାସ୍ତବରେ ହ୍ବାଟସ ଆପ୍ ୟୁଜର । ତେବେ ଏତେ ସଂଖ୍ୟକ ତଥ୍ୟ କିପରି ହ୍ୟାକ୍ କରାଗଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ବିଶେଷ କରି ସ୍ମିସିଂ ଓ ଭିସିଂ ଜରିଆରେ ସାଇବର ଅପରାଧ ଘଟାଯାଉଥିବା ବେଳେ, ଏହି ବୃହତ ଲିକ୍ କାହା ଜରିଆରେ ହୋଇଛି ତାହାର ସୂଚନା ମିଳିନାହିଁ । ପ୍ରଥମେ ହ୍ବାଟସଆପ୍ ୟୁଜରଙ୍କ ନିକଟକୁ ଏକ ଟେକ୍ସଟ ମେସେଜ ପଠାଇବା ପରେ ଏକ ଲିଙ୍କ୍ ଉପରେ କ୍ଳିକ କରିବା ଲାଗି ସାଇବର ଅପରାଧୀ କହିଥାନ୍ତି । ପରେ କ୍ରେଡିଟ କାର୍ଡ ବା ଅନ୍ୟାନ୍ୟ ତଥ୍ୟ ମଗାଯିବା ପରେ ଆକାଉଣ୍ଟ ହ୍ୟାକ କରାଯାଇଥାଏ । ଗତବର୍ଷ ମଧ୍ୟ ପ୍ରାୟ 50 କୋଟି ଫେସବୁକ ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଥିଲା । ସେଥିରେ ଥିଲା ଭାରତୀୟ ୟୁଜରଙ୍କ ପ୍ରାୟ 60 ଲକ୍ଷ ରେକର୍ଡ ।