୫୦ କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ହାକର୍ସଙ୍କ ୱେବସାଇଟରେ ଲିକ୍
1 min readନ୍ୟୁୟର୍କ: ହ୍ୟାକର୍ସଙ୍କ ୱେବସାଇଟରେ ୫୦ କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ । ହ୍ୟାକର୍ସଙ୍କ ୱେବସାଇଟରେ ଥିବା ଡାଟା ପୁରୁଣା ହୋଇଥିଲେ ମଧ୍ୟ ଫେସବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡ଼ା କରିଛି । ହ୍ୟାକର୍ସଙ୍କ ୱେବସାଇଟରେ ତଥ୍ୟ ଉପଲବ୍ଧ ନେଇ ‘ବିଜନେସ୍ ଇନସାଇଡର’ ସୂଚନା ଦେଇଛି । ୧୦୬ ଦେଶର ଲୋକଙ୍କ ଫୋନ୍ ନମ୍ବର, ଫେସବୁକ୍ ଆଇଡି, ନାଁ, ସ୍ଥାନ, ଜନ୍ମ ତାରିଖ ଓ ଇମେଲ୍ ଆଇଡି ଅନଲାଇନରେ ଉପଲବ୍ଧ ଅଛି ।
ଲୋକଙ୍କ ତଥ୍ୟର ସୁରକ୍ଷାକୁ ନେଇ ଫେସବୁକ୍ ଉପରେ ଅନେକ ବର୍ଷରୁ ପ୍ରଶ୍ନ ଉଠୁଛି । କେମ୍ବ୍ରିଜ୍ ଆନାଲିଟିକା ୮ କୋଟି ୭୦ ଲକ୍ଷ ଲୋକଙ୍କର ସୂଚନାକୁ ବ୍ୟବହାରକାରୀଙ୍କ ସହମତି ବିନା ହାତେଇ ନେଇଥିଲା । ଏହାପରେ ସୋସିଆଲ୍ ମିଡିଆ କମ୍ପାନୀ ୨୦୧୮ରେ ଫୋନ ନମ୍ବର ଦ୍ୱାରା ଜଣଙ୍କ ପ୍ରୋଫାଇଲ୍ ଖୋଜିବା ସୁବିଧାକୁ ବନ୍ଦ କରି ଦେଇଥିଲେ ।
ୟୁକ୍ରେନର ଜଣେ ସୁରକ୍ଷା ଅନୁସନ୍ଧାନକାରୀ ୨୦୧୯ ଡିସେମ୍ବରରେ କହିଥିଲେ- ୨୬ କୋଟି ୭୦ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି । ତେବେ ଏବେ ଯେଉଁ ତଥ୍ୟ ଲିକ୍ ହୋଇଥିବା ନେଇ କୁହାଯାଉଛି ତାହା ୨୦୧୯ରେ ଲିକ୍ ହୋଇଥିବା ଡାଟାର ଅଂଶବିଶେଷ କି ନୁହେଁ ଜଣାପଡ଼ିନାହିଁ । ଫେସବୁକ୍ ପକ୍ଷରୁ କୁହାଯାଇଛି- ଏହା ପୁରୁଣା ଡାଟା । ଯାହାର ସୂଚନା ୨୦୧୯ରେ ଦିଆଯାଇଥିଲା । ଆମେ ଏହି ସମସ୍ୟାକୁ ୨୦୧୯ ଅଗଷ୍ଟରେ ଦୂର କରି ଦେଇଥିଲୁ ।