RBIର ନାବାର୍ଡକୁ ଲିଖିତ ପ୍ରତିଶ୍ରୁତିକୁ ବାଏଁ ବାଏଁ ଟାଳିଦେଲା କେନ୍ଦ୍ର, ଅନ୍ଧାରରେ ହଜାର ହଜାର ପେନସନଧାରୀଙ୍କ ଭାଗ୍ୟ

More Than 5 Thousand Retired Employees Of NABARD Fighting For Pension

ଭୁବନେଶ୍ୱର: ଅନ୍ଧାରରେ ନାବାର୍ଡର ପ୍ରାୟ ୫ ହଜାର ୮୦୦ ଅବସରପ୍ରାପ୍ତ କର୍ମଚାରୀଙ୍କ ଭବିଷ୍ୟତ । ନାବାର୍ଡ ଗଠନ ବେଳେ ଆରବିଆଇ ପେନ୍‌ସନ୍‌ ରୁଲ ଅନୁଯାୟୀ ରିଜର୍ଭ ବ୍ୟାଙ୍କରୁ ପାସ୍ ହୋଇଥିବା ପ୍ରାପ୍ୟ ଏସବୁ କର୍ମଚାରୀଙ୍କୁ ଆଉ ମିଳୁନି । ଏ ନେଇ ହୋଇଥିବା ଚୁକ୍ତିକୁ ବାଏଁ ବାଏଁ ଫାଙ୍କି ଦେଇଛନ୍ତି କେନ୍ଦ୍ର ସରକାର । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏପରି କୌଣସି ଚୁକ୍ତିନାମା ହୋଇନଥିବା କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଆସନ୍ତା ଦିନରେ କୋର୍ଟର ଦ୍ୱାରସ୍ଥ ହେବ ବୋଲି ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ ସଂଘ ଚେତାବନୀ ଦେଇଛି ।

More Than 5 Thousand Retired Employees Of NABARD Fighting For Pension

ଧାରଣା, ଅଭିଯୋଗ କିଛି କାମ ଦେଲାନି । ଫାଙ୍କି ଦେଲେ କେନ୍ଦ୍ର ସରକାର । ଅବସରପ୍ରାପ୍ତ ନାବାର୍ଡ କର୍ମଚାରୀଙ୍କୁ ରିଜର୍ଭ ବ୍ୟାଙ୍କ ପେନ୍‌ସନ୍‌ ରୁଲ୍ ଅନୁଯାୟୀ ମିଳିବନି ପ୍ରାପ୍ୟ । ଜଣେ କି ଦୁଇଜଣ ନୁହେଁ, ପ୍ରାୟ ୫ ହଜାର ୮୦୦ ଅବସରପ୍ରାପ୍ତ ନାବାର୍ଡ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଏବେ ଅନ୍ଧାରରେ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆରବିଆଇ ପେନ୍‌ସନ୍‌ ରୁଲ୍‌ ଅନୁଯାୟୀ ଲିଖିତ ପ୍ରତିଶ୍ରୁତି ରହିଛି । କିନ୍ତୁ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭଗୱତ କରଡ଼ ଏପରି କିଛି ଲିଖିତ ଚୁକ୍ତିନାମା ନଥିବା ମନା କରି ଦେଇଛନ୍ତି । ଯାହାକୁ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଏପରି କାରବାର କର୍ମଚାରୀ ବିରୋଧୀ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ବି ମତ ରଖିଛନ୍ତି ।

୧୯୮୨ ମସିହାରେ ଜାତୀୟ ଗ୍ରାମୀଣ କୃଷି ବିକାଶ ବ୍ୟାଙ୍କ ବା ନାବାର୍ଡ ଗଠନ ବେଳେ ଆର୍‌ବିଆଇର କର୍ମଚାରୀ ଓ ଅଧିକାରୀମାନଙ୍କୁ ନାବାର୍ଡ଼ରେ ଯୋଗ ଦେବାକୁ କୁହାଗଲା । କର୍ମଚାରୀମାନେ ଆର୍‌ବିଆଇ ପେ ସ୍କେଲ୍‌ ଅନୁଯାୟୀ ଦରମା ଓ ଭତ୍ତା ପାଇବେ । ନାବାର୍ଡର ତତ୍କାଳୀନ ଅଧ୍ୟକ୍ଷ ତଥା ଆରବିଆଇ ଡେପୁଟି ଗଭର୍ଣ୍ଣର ପ୍ରତ୍ୟେକ କର୍ମଚାରୀଙ୍କୁ ଏହି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ଅବସର ପରେ ଆରବିଆଇ ପେନ୍‌ସନ୍‌ ରୁଲ ଅନୁଯାୟୀ ସବୁ ସୁବିଧା ମିଳିବ । ଏ ନେଇ ବିଧିବଦ୍ଧ ଭାବେ ଆରବିଆଇ ଓ ନାବାର୍ଡ ଭିତରେ ଲିଖିତ ଚୁକ୍ତିନାମା ହୋଇଥିଲା । କିଛି ମାସ ନାବାର୍ଡ ପ୍ରାପ୍ୟ ଦେବା ପରେ ବନ୍ଦ କରିଦେଲା । କର୍ମଚାରୀମାନେ ନାବାର୍ଡ଼ କର୍ତ୍ତୃପକ୍ଷଙ୍କ ସମେତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଜଣାଇଲେ । ହେଲେ କିଛି ଫରକ୍‌ ପଡ଼ିଲାନି ।

More Than 5 Thousand Retired Employees Of NABARD Fighting For Pension

ପରେ ଧାରଣା ଦେବା ସହ ସଂସଦର ପିଟିସନ୍‌ କମିଟିକୁ ଫେରାଦ ହେଲେ । ଏବେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ମନା କରିବା ପରେ କୋର୍ଟର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି ହତାଶ ନାବାର୍ଡ ଅବସରପ୍ରାପ୍ତ କର୍ମଚାରୀ ସଂଘ । କୃଷି ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ପାଇଁ ନାବାର୍ଡ ଗଠନ ହୋଇଛି । ଯେଉଁମାନେ ଏହି ବ୍ୟାଙ୍କ ଗଠନ ବେଳେ ଦିନରାତି ଏକ କଲେ ସେମାନଙ୍କ ପାଉଣା ଦେବା ପାଇଁ କେନ୍ଦ୍ରର ଟାଳଟୁଳ ନୀତିକୁ ସବୁ ମହଲରେ ନିନ୍ଦା କରାଯାଇଛି ।