୫ ପ୍ରତିଶତ ସୁଧ ଆଶା ଦେଖାଇ ଠକିନେଲେ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା

ଭୁବନେଶ୍ବର: ଧୂମଧାମରେ ଭୋଜିଭାତ ହୋଇଥିଲା । ଏକାକାଳୀନ ୧ ହଜାର ଲୋକଙ୍କୁ ଏକାଠି କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ନିରୀହ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ କୋଟି କୋଟି ଟଙ୍କାର ଚୂନ ଲଗାଇବା । ଆଉ ଠିକ ସେୟା ହିଁ ହେଇଥିଲା । ହାଉସିଂ ପ୍ରୋଜେକ୍ଟ ଓ ସୁନା କିଣିବାରେ ଟଙ୍କା ବିନିଯୋଗ କରିବାକୁ କହି ନାମିଦାମୀ କମ୍ପାନୀ ନାଁରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିଲେ ଅଭିଯୁକ୍ତ ସୁଶାନ୍ତ ନାଗ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ।

କୁହାଯାଇଥିଲା ଯେ ଯଦି ୫ ଲକ୍ଷ ପର୍ଯ୍ୟନ୍ତ ବିନିଯୋଗ କରିବ, ତେବେ ମାସକୁ ପାଞ୍ଚ ପ୍ରତିଶତ ସୁଧ ଓ ୫ ଲକ୍ଷରୁ ଉର୍ଦ୍ଧ ବିନିଯୋଗ କଲେ ୮ ପ୍ରତିଶତ ସୁଧ ମିଳିବ । ୟୁନିଭର୍ସ ନାମରେ ନୟାପଲ୍ଲୀ ନୀଳକଣ୍ଠନଗରରେ ଏକ ଅଫିସ ଖୋଲି ଅଭିଯୁକ୍ତ ଏଭଳି ଭାବେ ୯ ଶହ ଲୋକଙ୍କ ଠାରୁ ପାଖାପାଖି ୩ ଶହ କୋଟିରୁ ଉର୍ଦ୍ଧ ଟଙ୍କା ଠକିନେଇଥିବା ଅଭିଯୋଗ ଅର୍ଥନୈତିକ ଅପରାଧ ଶାଖାରେ ହୋଇଛି ।

ପାଖାପାଖି ୧ ବର୍ଷ ଠିକ ଠାକ ସୁଧ ଦେବା ପରେ ଲୋକଙ୍କ ବିଶ୍ୱାସ ଜନ୍ମିବା ପରେ ଠକ ଜଣଙ୍କ ଶହ ଶହ କୋଟି ଟଙ୍କା ନେଇ ଚମ୍ପଟ ମାରିଛି କମ୍ପାନି । ଡାକ୍ତର, ଇଞ୍ଜିନିୟର, ପୋଲିସ, ବିଲ୍ଡର, କଣ୍ଟ୍ରାକ୍ଟର ଙ୍କ ସହ ଅନେକ ନିରୀହ ଲୋକ ଠକେଇର ଶିକାର ହୋଇଛନ୍ତି । ଶତାଧିକ ଲୋକେ ଇଓଡବ୍ଲୁ ର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ନିଜ ଟଙ୍କା ଫେରିପାଇବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କ୍ଷତିଗ୍ରସ୍ତ ।