ଆଗକୁ ୨୦୨୪ ସାଧାରଣ ନିର୍ବାଚନ, ଭୋଟର ତାଲିକାରେ ୩ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଭୋଟର

ଭୁବନେଶ୍ବର: ଭୋଟର ତାଲିକାରେ ଯୋଡି ହୋଇଛନ୍ତି ଅଧିକ ସଂଖ୍ୟାରେ ମହିଳା । ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଗତ ଅକ୍ଟୋବର ମାସରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାମ ଚାଲିଛି । ଗତ ଅକ୍ଟୋବର ୨୭ ତାରିଖରୁ ଚଳିତମାସ ୩ ତାରିଖ ଭିତରେ ଭୋଟର ତାଲିକାରେ ଯୋଡିହୋଇଛନ୍ତି ୬ ଲକ୍ଷ ୩୦ ହଜାର ୨୧୬ ନୂଆ ଭୋଟର । ସେମାନଙ୍କ ଭିତରୁ ୩ ଲକ୍ଷ ୫୫ ହଜାର ୬୬ ଜଣ ମହିଳା ଭୋଟର ରହିଛନ୍ତି ।

ସେହିପରି ଏକାଧିକ ସ୍ଥାନରେ ନାମ ଥିବା ଓ ମୃତ୍ୟୁଯୋଗୁ ତାଲିକାରୁ ବାଦ ପଡ଼ିଲେଣି ୨ ଲକ୍ଷ ୪୬ ହଜାର ୨୫୯ ଜଣ । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୫୭ ହଜାର ୩୬ ଜଣ ଭୋଟରଙ୍କ ମୃତ୍ୟୁ ହୋଇଥିବାବେଳେ ୭୫ ହଜାର ୧୯୧ ଜଣ ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି ।

୧୪ ହଜାର ୩୨ ଜଣ ଭୋଟରଙ୍କ ଏକାଧିକ ସ୍ଥାନରେ ନାମ ଥିବାରୁ ସେମାନଙ୍କ ନାମକୁ ଗୋଟିଏ ନିର୍ବାଚନମଣ୍ଡଳୀରେ ପଞ୍ଜୀକୃତ କରାଯାଇଛି । ଏପରିକି ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ କାର୍ଯ୍ୟକ୍ଷେତ୍ର ନେଇ ଭୋଟର ସ୍ଥାନାନ୍ତର ହେଲେ ନୂଆ ସ୍ଥାନରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିପାରିବେ । ଏପରିକି ଭଡ଼ା ଘରେ ରହୁଥିଲେ ବି ଭଡ଼ାଘରର ଚୁକ୍ତିନାମା କିମ୍ବା ବିଦ୍ୟୁତ ବିଲ୍‌ ପ୍ରମାଣ ପତ୍ର ଦେଇ ଭୋଟର ରହୁଥିବା ସ୍ଥାନର ଭୋଟର ହୋଇପାରିବେ ।