ଆଗକୁ ନିର୍ବାଚନ, ଚଳିତ ସପ୍ତାହରେ ଦେଶରେ ମୁତୟନ ହେବେ ୩ ଲକ୍ଷରୁ ଉର୍ଦ୍ଧ୍ବ ଯବାନ

ନୂଆଦିଲ୍ଲୀ: ଆଗେଇଲା ଲୋକସଭା ନିର୍ବାଚନ ପ୍ରକ୍ରିୟା । ଚଳିତ ସପ୍ତାହରେ ଦେଶରେ ମୁତୟନ ହେବେ ୪୩୦ ବିଏସଏଫ କମ୍ପାନି, ୧୫୫ ସିଆଇଏସଏଫ କମ୍ପାନି ଓ ୫୦୦ସିଆରପିଏଫ କମ୍ପାନି । ମାର୍ଚ୍ଚ ୭ ମଧ୍ୟରେ ଯବାନମାନଙ୍କୁ ବିଭିନ୍ନ ରାଜ୍ୟରେ ମୁତୟନ କରାଯିବ । ଚଳିତ ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ୩ ଲକ୍ଷ ୪୦ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରିବା ଲାଗି ଚାହିଁଛନ୍ତି ।

ଏହି ଯବାନମାନେ ବି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ତଥା ଅନ୍ଯାନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ମୁତୟନ ହେବେ । ଜାମ୍ମୁ ଓ କାଶ୍ମୀରରେ ବି ଏହି ନିର୍ବାଚନ କରାଯିବ । ତେବେ ଲୋକସଭା ନିର୍ବାଚନ ସହ ଜାମ୍ମୁ ଓ କାଶ୍ମୀର ନିର୍ବାଚନ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ସେଠାରେ ନିର୍ବାଚନ ପ୍ରକ୍ରିୟା ସାରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି । ଗତ ୨୦୧୯ ଲୋକସଭା ନିର୍ବାଚନରେ ୩ ଲକ୍ଷ ଅର୍ଦ୍ଧସାମରିକ ଯବାନ ଓ ୨୦ ଲକ୍ଷ ରାଜ୍ୟ ପୋଲିସ ମୁତୟନ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସିଆରପିଏଫର ୧ ହଜାର ୩୮୭ କମ୍ପାନି, ବିଏସଏଫର ୫୫୦ କମ୍ପାନି, ସିଆଇଏସଏଫର ୨୦୮ କମ୍ପାନି, ଏସଏସବିର ୨୪୪ କମ୍ପାନି, ଆଇଟିବିପିର ୨୧୦ କମ୍ପାନି, ଆରପିଏଫର ୭୯ କମ୍ପାନି ।