ପାଲଘର ସାଧୁଙ୍କୁ ପିଟିପିଟି ହତ୍ୟା ମାମଲା: ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଧମକ ଦେଲା ଆଖଡା ପରିଷଦ

1 min read

ମୁମ୍ବାଇ: କରୋନା ପାଇଁ ସାରା ଦେଶ ଚିନ୍ତାରେ ଥିବା ବେଳେ ମହାରାଷ୍ଟ୍ରରୁ ଆସିଛି  ବର୍ବତାର ଏମିତି କାହାଣୀ ଯାହା ମାନବତାକୁ ଲଜ୍ଜିତ କରିବ ।  ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଜୁନା ଅଖଡାର ଦୁଇଜଣ ସାଧୁଙ୍କ ସମେତ ତିନି ଜଣଙ୍କୁ ମାଡ ମାରି ହତ୍ୟା କରିବା ଘଟଣାରେ ୧୧୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ସମସ୍ତଙ୍କ ବିରୋଧରେ ଗମ୍ଭୀର ମାମଲା ରୁଜୁ ହୋଇଛି । ଗିରଫ ୧୧୦ ଜଣଙ୍କ ମଧ୍ୟରୁ ୯ ଜଣ ନାବାଳକ । ନାବାଳକଙ୍କୁ ଆଶ୍ରୟ ଗୃହକୁ ପଠାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଛି । ଏହି ମାମଲା ମହାରାଷ୍ଟ୍ରର ରାଜନୀତି ଉପରେ ପ୍ରଭାବ ପକାଇଛି ।

ସାଧୁମାନଙ୍କ ଉପରେ ବର୍ଷି ପଡ଼ିଲେ ଲୋକେ

ମହାରାଷ୍ଟ୍ରର ପାଲଘରର ଗାଡଚିଞ୍ଚଲେ ଗ୍ରାମରେ ଦୁଇଜଣ ସାଧୁଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି । ଘଟଣା ଦିନ ଦୁଇ ସାଧୁ ମୁମ୍ବାଇରୁ ଗୁଜୁରାଟ  ଯାତ୍ରା କରୁଥିଲେ। ସେହି ସମୟରେ କେହି ଜଣେ ଚୋର ବୋଲି ଗୁଜବ ପ୍ରଚାର କରିଥିଲେ। ଏହା ପରେ, ତାଙ୍କ ଉପରେ ସେଠାରେ ଥିବା ଶତାଧିକ ଲୋକ ଆକ୍ରମଣ କରିଥିଲେ ତେବେ ପୂରା ଘଟଣା ସେଠାରେ ଉପସ୍ଥିତ ଥିବା କିଛି ପୋଲିସ କର୍ମଚାରୀଙ୍କ ସାମ୍ନାରେ ହିଁ ଘଟିଥିଲା। ଅଭିଯୁକ୍ତମାନେ ସାଧୁଙ୍କ ସହ ଡ୍ରାଇଭର ଏବଂ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ସାଧୁମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

କେମିତି ହେଲେ ୧୧୦ଲୋକ ଗିରଫ ?

ପାଲଘର ଡିଏମ କହିଛନ୍ତି ଯେ, ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଗ୍ରାମବାସୀମାନେ ବାଡ଼ି ଓ ପଥରରେ କାର ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି । ଏବଂ ଏହି ଭିଡିଓ ଆଧାରରେ ଏବଂ ଅନୁସନ୍ଧାନ ପରେ ୧୧୦ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିଲା।

ସାଧୁସନ୍ଥମାନେ NSA ଲଗାଇବାକୁ ଦାବି କରିଛନ୍ତି

ପାଲଘରରେ ସାଧୁଙ୍କ ହତ୍ୟା ପରେ ସନ୍ଥ ସମାଜ ଅତ୍ୟନ୍ତ କ୍ରୋଧିତ ହୋଇଛନ୍ତି । ଏହି ଘଟଣାରେ ଅଖିଲ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ହତ୍ୟାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନ ହେବ । ଅନ୍ୟପକ୍ଷରେ ବିଜେପି ସାଂସଦ ସାକ୍ଷୀ ମହାରାଜ ମଧ୍ୟ ଟ୍ୱିଟ୍ କରି ଅଭିଯୁକ୍ତଙ୍କ ଉପରେ ରାସୁକା ଲଗାଇବାକୁ ଦାବି କରିଛନ୍ତି। ଅନ୍ୟଥା, ସାଧୁମାନଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ସେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି।

‘ଲଜ୍ଜାଜନକ, ଭୟଙ୍କର ଏବଂ ବର୍ବର ଘଟଣା’

ତେବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ପାଲଘର ମାଓବାଦୀ ହିଂସା  ଘଟଣାର ଭିଡିଓ ଆଶ୍ଚର୍ଯ୍ୟଜନକ ଏବଂ ଅମାନବୀୟ । ଏପରି ବିପଦ ସମୟରେ ଏଭଳି ଘଟଣା ଆହୁରି ବିଚଳିତ ହୋଇପଡ଼ିଛି । ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ମଧ୍ୟ ଏହି ଘଟଣାକୁ ଲଜ୍ଜାଜନକ, ଭୟଙ୍କର ଏବଂ ବର୍ବର ବୋଲି ବର୍ଣ୍ଣନା କରିଛନ୍ତି।

Leave a Reply