ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି, ବିଦ୍ରୋହୀ ଶିବିରରେ ସାମିଲ ହେଲେ ଆଉ ୪ ଶିବସେନା ବିଧାୟକ

1 min read

ମୁମ୍ବାଇ: ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି । ଗୌହାଟିରେ ବିଦ୍ରୋହୀ ଶିବିରରେ ସାମିଲ ହେଲେ ଆଉ ୪ ଶିବସେନା MLA । ସେପଟେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେନି ଉଦ୍ଧବ ଠାକରେ । ସମସ୍ତ ପ୍ରତିବନ୍ଧକର ମୁକାବିଲା କରାଯିବ ବୋଲି କହିଛନ୍ତି ଦଳର ନେତା ସଞ୍ଜୟ ରାଓ୍ୱତ । ସେପଟେ ସରକାରୀ ବାସଭବନ ଛାଡ଼ି ମାତୋଶ୍ରୀରେ ରହିଲେ ଉଦ୍ଧବ । ଗତକାଲି ରାତିରେ ସେ ସରକାରୀ ବାସଭବନ ତ୍ୟାଗ କରିଥିଲେ । ସେପଟେ ଅପ୍ରାକୃତିକ ମେଣ୍ଟରୁ ବାହାରିବାକୁ ଆହ୍ୱାନ ଦେଇଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ ।

ଶିବସେନାରେ ସଂକଟ ପରିପ୍ରେକ୍ଷୀରେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶିବସେନା ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ବିଚାରାଧାରାରୁ ଓହରିଯାଇ ନାହିଁ ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଉଦ୍ଧବ । ସେ ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛନ୍ତି, ଜଣେ ଯଦି ଶିବସେନା ବିଧାୟକ କହିବେ, ତାହା ହେଲେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଉଦ୍ଧବ ଠାକରେ । ଶିବସେନା କେବେ ବି ହିନ୍ଦୁତ୍ୱ ଛାଡ଼ିବ ନାହିଁ । କିଛି ବିଦ୍ରୋହୀ ଦଳକୁ ଫେରିବାକୁ ଚାହାନ୍ତି ବୋଲି ଦାବି କରିଛନ୍ତି ଉଦ୍ଧବ ।

କୁର୍ସି ମାଡି ବସିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ଉଦ୍ଧବ । ଶରଦ ପାଓ୍ୱାରଙ୍କ ଅନୁରୋଧରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏକନାଥ ସିନ୍ଦେଙ୍କ ବଡ଼ ଧରଣର ବିଦ୍ରୋହ ପରିପ୍ରେକ୍ଷୀରେ ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଇସ୍ତଫା ଘୋଷଣା ନକରି ବୁଝାମଣା ପାଇଁ ଉଦ୍ଧବ ପ୍ରସ୍ତୁତ ଥିବା ତାଙ୍କ ସମ୍ବୋଧନରୁ ଜଣାପଡ଼ିଛି ।