ରାଜ୍ୟର ୬ ଜିଲ୍ଲାରୁ ଆଉ ୭ ମୁଣ୍ଡ ନେଲା ମହାମାରୀ କରୋନା

1 min read
More Seven Covid Death In Odisha

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଥମୁନି ମୃତ୍ୟୁ । ଗତ ୨୪ ଘଣ୍ଟାରେ ରାଜ୍ୟର ୬ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ୨ ଜଣ, ସୁନ୍ଦରଗଡ଼ରୁ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ- ଆଜି ବି ୬ ହଜାର ଉପରେ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଜିଲ୍ଲାରେ ୨୫୬ ଜଣଙ୍କ ମୃତ୍ୟୁ କରୋନାରେ ହୋଇଥିବା ବେଳେ ଏବେ ୭୮୪ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗୋଟିଏ ମୃତ୍ୟୁକୁ ମିଶାଇ କଳାହାଣ୍ଡି ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ କୋଭିଡ୍ ମୃତ୍ୟୁ ସହ ମୋଟ ମୃତ୍ୟୁ ୩୪୪କୁ ବୃଦ୍ଧି ପାଇଛି ଜିଲ୍ଲାରେ ଏବେ ୭ ହଜାର ୯୬୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ଗୋଟିଏ କରୋନା ମୃତ୍ୟୁକୁ ମିଶାଇ ପୁରୀ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨୦୭୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ରାୟଗଡ଼ାରେ ଗତ ୨୪ ଘଣ୍ଟାରେ କରୋନାରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି ପାଇଥିବା ବେଳେ ଏବେ ୬୭୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୮୧କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୫ ହଜାର ୯୮୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave a Reply