ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରୁ ଆଉ ୭ ସଂକ୍ରମିତ ଚିହ୍ନଟ

More 7 Omicron Variant Detected In Maharastra

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ରରୁ ଆଜି ଆଉ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସ୍ଥାନରୁ ଚିହ୍ନଟ ହୋଇଛନ୍ତି ୪ ଜଣ । କେବଳ ମହାରାଷ୍ଟ୍ରରୁ ୧୭ଟି ଓମିକ୍ରନ ମାମଲା ସାମ୍ନାକୁ ଆସିଥିବବେଳେ ଦେଶରେ ମୋଟ ସଂଖ୍ୟା ୩୨ରେ ପହଞ୍ଚିଛି । ପ୍ରଥମେ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲେ ଓମିକ୍ରନ ସଂକ୍ରମିତ ।

ଦକ୍ଷିଣ ଆଫ୍ରିକାରୁ ଉତ୍ପତିଲାଭ କରିଥିଲା କରୋନାର ଏହି ନୂଆ ଭାରିଆଣ୍ଟ ଏବେ ୫୯ଟି ଦେଶରେ କାୟା ବିସ୍ତାର କଲାଣି । ୟୁରୋପୀୟ ଦେଶମାନଙ୍କରେ ସ୍ଥିତି ଉଦବେଗଜନକ ରହିଛି । ଦେଶରେ ବଢୁଥିବା ଓମିକ୍ରନ ସଂକ୍ରମିତଙ୍କୁ ନେଇ ଚିନ୍ତା ଜାହିର କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ନୀତି ଆୟୋଗର ସ୍ଥାୟୀ କମିଟି ସଦସ୍ୟ ଭି.କେ ପଲ କହିଛନ୍ତି ସମସ୍ତେ ମାସ୍କ ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ । ମାସ୍କ ତଳକୁ ଖସିଲେ ସଂକ୍ରମଣ ଉପରକୁ ବଢ଼ିବ ।

କାରଣ ଏହି ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ଜାହିର କରିଥିବାବେଳେ ଡେଲଟା ଠାରୁ ଏହା ଅଧିକ ମାରାତ୍ମକ ଅଟେ ବୋଲି କହିଛନ୍ତି ଭି.କେ ପଲ୍ । ଏଥିସହ ଟିକାକରଣ ଉପରେ ସମସ୍ତ ରାଜ୍ୟ ଫୋକସ୍ ଦେବା ଜରୁରୀ ବୋଲି ସେ କହିଛନ୍ତି । ଓମିକ୍ରନ ଭାରିଆଣ୍ଟ ବିରୋଧରେ ସମସ୍ତ ଟିକା କାମ କରୁଥିବା କହିଛନ୍ତି ଭି.କେ ପଲ୍ ।

Leave a Reply