ବାଲେଶ୍ୱରରୁ ଆଉ ୨, ଜଗତସିଂହପୁରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨୦୯ରେ ପହଞ୍ଚିଛି । ବାଲେଶ୍ୱରରୁ ଆଜି ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏନେଇ ସୂଚନା ଦେଇଛନ୍ତି ।

୨ ଆକ୍ରାନ୍ତଙ୍କ ସହ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ବାଲେଶ୍ୱରରେ ୨୨ ସକ୍ରିୟ ମାମଲା ଥିବା ବେଳେ ୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଗତସିଂହପୁର ଆକ୍ରାନ୍ତ ଜଣଙ୍କ ୭୦ ବର୍ଷୀୟ ପୁରୁଷ । ସେ କୋଲକାତାରୁ ଫେରିଥିଲେ, ତାଙ୍କ ଠାରେ କରୋନାର କିଛି ଲକ୍ଷଣ ନାହିଁ । ବାଲେଶ୍ୱରର ୨ ଆକ୍ରାନ୍ତ ସୁରତ ଫେରନ୍ତା । ୨୬ ବର୍ଷ ଓ ୨୯ ବର୍ଷ ପୁରୁଷ, ସେମାନଙ୍କ ଠାରେ ମଧ୍ୟ କରୋନାର ଲକ୍ଷଣ ନାହିଁ ।

ରାଜ୍ୟରେ ୨୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଗୋଟିଏ ଦିନରେ ଗଞ୍ଜାମରୁ ୧୭, ମୟୂରଭଞ୍ଜରୁ ୪, ବାଲେଶ୍ୱରରୁ ୨, ଜଗତସିଂହପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply