ମୋରବି ପୋଲ ଦୁର୍ଘଟଣା ମାମଲା: ଗିରଫ ହେବେ ଓରେବା କମ୍ପାନୀ ମାଲିକ

ଅହମ୍ମଦାବାଦ: ଗୁଜୁରାଟର ମୋରବି ପୋଲ ଦୁର୍ଘଟଣା ମାମଲାରେ ଓରେବା କମ୍ପାନୀ ମାଲିକ ଜୟସୁଖ ପଟେଲଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଛି । ପୋଲିସ ପଟେଲଙ୍କୁ ଚାର୍ଜସିଟରେ ଅଭିଯୁକ୍ତ କରିଛି, ଅବଶ୍ୟ ଚାର୍ଜସିଟ୍ ବର୍ତ୍ତମାନ ସୁଦ୍ଧା କୋର୍ଟରେ ଦାଖଲ ହୋଇନାହିଁ । ଗିରଫ ପରୱାନା ଜାରି ହେବା ପରେ ପୋଲିସ ଜୟସୁଖଙ୍କ ପାଇଁ ଲୁକଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି । କୁହାଯାଉଛି ଯେ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ । ପଟେଲ ଦୁଇ ଦିନ ପୂର୍ବେ କୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ ।

ପ୍ରକାଶଥାଉକି, ଗୁଜୁରାଟର ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଗତ ବର୍ଷ ଅକ୍ଟୋବରରେ ଛିଡ଼ିପଡ଼ିଥିଲା । ଦୁର୍ଘଟଣା ସମୟରେ ପୋଲ ଉପରେ ୩୦୦ରୁ ୪୦୦ ଲୋକ ଉପସ୍ଥିତ ଥିଲେ । ସମସ୍ତେ ନଦୀକୁ ଖସିପଡିଥିଲେ । ଅବଶ୍ୟ ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ମୋଟ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୭ ମାସର ମରାମତି ପରେ ଦୁର୍ଘଟଣାର ୫ ଦିନ ପୂର୍ବେ ଏହି ପୋଲକୁ ଲୋକମାନଙ୍କ ପାଇଁ ଖୋଲାଯାଇଥିଲା । ବ୍ରିଜ ଖୋଲିବା ପୂର୍ବରୁ ଫିଟନେସ୍ ସାର୍ଟିଫିକେଟ ମଧ୍ୟ ନିଆଯାଇନଥିଲା । ଏହି ବ୍ରିଜର ରକ୍ଷଣାବେକ୍ଷଣା ଦାୟିତ୍ୱ ଓରେବା କମ୍ପାନୀ ପାଖରେ ତିଲା । ଏହାପରେ କମ୍ପାନୀ ଏବଂ ତାର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।