ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ନବୀନ ନମ୍ବର ଓ୍ବାନ୍

ଭୁବନେଶ୍ବର: ସେଇ ଚମକ, ସେଇ ଲୋକପ୍ରିୟତା । ଏକ୍ ନବୀନ ସବକା ପ୍ୟାରା । ନବୀନ ନମ୍ବର ଓ୍ବାନ୍ । ‘ଇଣ୍ଡିଆ ଟୁଡେ’ ର ମୁଡ ଅଫ ଦ ନେସନ ପୋଲରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଢେର ପଛରେ ପକାଇ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।

ଦୀର୍ଘବର୍ଷ କାଳ ଶାସନ କ୍ଷମତାରେ ରହି ମଧ୍ୟ ନବୀନଙ୍କୁ ଭଲପାଇବାରେ ଓଡ଼ିଶାବାସୀ ସାମାନ୍ୟ ଉଣା କରିନାହାନ୍ତି । ତାଙ୍କ ଶାସନରେ ଲୋକମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି । କଥା ନୁହେଁ କଠିନ ପରିଶ୍ରମରେ ବିଶ୍ବାସ କରୁଥିବା ନବୀନ ରାଜନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କର ପ୍ରଥମ ଓ ଶ୍ରେଷ୍ଠ ପସନ୍ଦ ।

ମାଗାଜିନ୍ ‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ ଦ ନେସନ’ ପୋଲରେ ନବୀନଙ୍କୁ ଅଧିକ ରେଟିଂ ମିଳିଛି । ସେ ୭୩.୨% ଲୋକଙ୍କ ମନ ଜିତି ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ (୬୯.୨%) । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (୬୮.୩%) ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଟପ ଟେନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯଥାକ୍ରମେ ଅଛନ୍ତି ଭୂପେଶ ବାଘେଲ (ଛତିଶଗଡ଼), ଶିବରାଜ ସିଂହ ଚୌହ୍ବାନ (ମଧ୍ୟପ୍ରଦେଶ), ପୁଷ୍କର ଧାମୀ (ଉତ୍ତରାଖଣ୍ଡ), ଯୋଗୀ ଆଦିତ୍ୟନାଥ (ଉତ୍ତରପ୍ରଦେଶ), ଏମ କେ ଷ୍ଟାଲିନ (ତାମିଲନାଡୁ), ଭୁପେନ୍ଦ୍ର ପଟେଲ (ଗୁଜୁରାଟ) ଓ ଜଗନ ମୋହନ ରେଡ୍ଡି (ଆନ୍ଧ୍ରପ୍ରଦେଶ) ।

ଇଣ୍ଡିଆ ଟୁଡେର ସର୍ଭେ ହେଉ ଅବା ମୁଡ୍ ଅଫ ଦ ନେସନ, ଅନ୍ୟ ପ୍ରତିଷ୍ଠିତ ମାଗାଜିନ ଓ ସଂସ୍ଥାର ଜନମତ ସର୍ଭେରେ ନବୀନ ସବୁବେଳେ ଶୀର୍ଷରେ ରହି ଆସିଛନ୍ତି । ଓଡ଼ିଶାର ବିକାଶକୁ ମୁଖ୍ୟ ଏଜେଣ୍ଡା ଭାବେ ନେଇ ନବୀନ ଶାସନ ଓ ପ୍ରଶାସନକୁ ଲୋକାଭିମୁଖୀ କରି ସମଗ୍ର ଦେଶ ପାଇଁ ପାଲଟିଛନ୍ତି ରୋଲ ମଡେଲ ।