ସମ୍ପୂର୍ଣ୍ଣ ରାଜ୍ୟରେ ସକ୍ରିୟ ହୋଇପାରୁନି ମୌସୁମୀ

ଭୁବନେଶ୍ୱର: କମିଛି ତାତି ରାଜ୍ୟକୁ ଛୁଇଁଛି ମୌସୁମୀ । କିନ୍ଚୁ ମୌସୁମୀ ସାରା ରାଜ୍ୟରେ ସକ୍ରିୟ ହୋଇପାରୁନି ।  ରାଜ୍ୟର କେତେକ ଜିଲ୍ଲାରେ ଝିପିଝିପି ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଆଉ କେତେକ ସ୍ଥାନ ପାଣିପାଗ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି । ଯଦିଓ ଆସନ୍ତା ଦୁଇ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ କେବେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଆଜି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ମୟୁରଭଞ୍ଜରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ କାଳବୈଶାଖୀ କରାଇବାରେ ସକ୍ଷମ ହେଉଛି ।

ସେହିପରି ଆସନ୍ତାକାଲି କାଳବୈଶାଖୀ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୨୨, ୨୩ ଏବଂ ୨୪ ତାରିଖରେ ଉତ୍ତର ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।