ପାଞ୍ଚଦିନ ଯାଏଁ ହିଟୱେଭ ସ୍ଥିତି ନାହିଁ, ଠିକ୍‌ ସମୟରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର: କିଛି ବ୍ଯତିକ୍ରମ ହେବନି । ଠିକ ସମୟରେ କେରଳ ଛୁଇଁବ ମୌସୁମୀ । ଆଇଏମଡି ପୂର୍ବାନୁମାନ କରି କହିଛି, ପାଗ ଅନୁକୂଳ ଥିବାରୁ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁବ । ଅନ୍ଯପଟେ ଆସନ୍ତା କାଲିଠାରୁ ପୁଣି ପାରଦ ବଢିବା ନେଇ କହିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ଵିଶେଷ ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ତେଣୁ ଆସନ୍ତାକାଲି ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବଢିବ ।

ତେବେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୯୨.୮ ମିମି ସର୍ବାଧିକ ନୟାଗଡ଼ର ରାମପୁର ଏବଂ କେନ୍ଦ୍ରାପଡା ରାଜନଗରରେ ୭୮ ମିମି ବର୍ଷା ରେକର୍ଡ କରାଯାଇଛି । ୩୧ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର ।