ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

1 min read

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ । ୨୪ଟି କାର୍ଯ୍ୟ ଦିବସ ଥିବା ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ଉଦ୍ୟମ କରିଛନ୍ତି । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ସବୁ ଦଳର ସଦସ୍ୟମାନେ ଉପସ୍ଥିତ ରହି ଗୃହ ସୁପରିଚାଳନା ଉପରେ ଆଲୋଚନା କରିବେ । କରୋନା ମହାମାରୀ ଭୟ ଯାଇନଥିବାରୁ ଗୃହ ୫ ଘଣ୍ଟା ଚାଲିବ ନା ଫୁଲ୍ ଟାଇମ୍ ଚାଲିବ ତା ଉପରେ ଆଲୋଚନା କରାଯିବ ।

ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍ । ସେହିପରି ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ । ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।