ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ, ୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବ

1 min read

ଭୁବନେଶ୍ବର: ବିଳମ୍ବରେ ଆସିଲା ହେଲେ ସଅଳ ଫେରିଯିବ ମୌସୁମୀ । ଆଜିଠୁ ଓଡ଼ିଶାରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି । ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ହୋଇଛି ।

ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରାଯାଇଛି । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିୟାଣା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି । ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।