ସାରା ଦେଶରେ ଆଜିଠୁ ଫେରିଯିବ ମୌସୁମୀ: ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସମ୍ଭାବନା

1 min read

ନୂଆଦିଲ୍ଳୀ: ସାରା ଦେଶରେ ଆଜିଠୁ ଆରମ୍ଭ ହେବ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଉତ୍ତର-ପଶ୍ଚିମ ଭାରତରୁ ଫେରିବା ଆରମ୍ଭ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ଏକ ଟ୍ରଫ ଲାଇନ୍ ପଶ୍ଚିମବଙ୍ଗ, ସିକିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଦେଇ ଗତି କରିଛି । ଯାହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବର୍ଷାରେ ଭିଜିବ ଦଶହରା । ପ୍ରଶାନ୍ତ ମହସାଗରର ପଶ୍ଚିମରେ ଫିଲିପାଇନ୍‌ସ ନିକଟରେ ବାତ୍ୟାର ରୂପ ନେଇପାରେ ଘୂର୍ଣ୍ଣିବଳୟ । ଆସନ୍ତା ୧୫ ତାରିଖରେ ଏହା ଅବପାତର ରୂପ ନେବ । ବାତ୍ୟାର ନାଁ ରହିଛି ଲେନି । ୮ ତାରିଖ ବେଳକୁ ଭିଏତନାମ, ଥାଇଲାଣ୍ଡ ହୋଇ ମିଆଁମାରର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିପାରେ ବାତ୍ୟା । ଧୀରେ ଧୀରେ ଏହି ଅବପାତ ଉତ୍ତର ପଶ୍ଚିମ ଓ ପରେ ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଜିଲ୍ଲାରେ ବର୍ଷା ଲାଗି ରହିବା ସହ ୧୧ ତାରିଖରୁ ପାଗ ମେଘୁଆ ରହିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଏହା ବାତ୍ୟାର ରୂପ ନିଏ, ତେବେ ଆନ୍ଧ୍ରପ୍ରଦେଶର କାକିନଡ଼ା ଓ ମଛଲିପଟ୍ଟନମ୍‌ର ସ୍ଥଳଭାଗ ଆଡ଼କୁ ମୁହାଁଇବ । ସେପଟେ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ବଳୟ ସୃଷ୍ଟି ହେବା ପାଇଁ ଉପଯୁକ୍ତ ଜଳବାୟୁ ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଏଥିସହିତ ପଢ଼ନ୍ତୁ: ଆଉ ନାହାନ୍ତି ରାମାୟଣର ରାବଣ: ହୃଦଘାତରେ ଚାଲିଗଲା ଜୀବନ

Leave a Reply