ଚାଷୀଙ୍କ ପାଇଁ ଖୁସି ଖବର, ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବ ମୌସୁମୀ

1 min read

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ । ପ୍ରଚଣ୍ଡ ରୌଦ୍ରତାପରୁ ମିଳିବ ଆଶ୍ବସ୍ତି । ଚଳିତବର୍ଷ ମେ’ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନର ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଏହି ଆକଳନ କରିଛି । ଯାହାକି ପୁର୍ବରୁ କରାଯାଇଥିବା ଆକଳନର ୪ ଦିନ ଆଗରୁ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଇଛି । ୨୦୧୭ରେ ମେ’ ୩୦ରେ କେରଳ ଛୁଇଁଥିଲା ମୌସୁମୀ , ଯାହାକି ପାଣିପାଗ ବିଭାଗର ଆକଳନ ଥିଲା ।

ସେହିପରି ୨୦୨୧ରେ ମେ’ ୩୧ରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିବା ବେଳେ ତାହା ଜୁନ ୩ରେ କେରଳ ଛୁଇଁଥିଲା । ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପରେ ଧିରେ ଧିରେ ଅନ୍ୟ ଅଞ୍ଚଳକୁ ସଂପ୍ରସାରିତ ହୋଇଥାଏ । ଯଦି IMD ଆକଳନ ସଠିକ ହୁଏ ତେବେ ଓଡିଶାରେ ମୌସୁମୀ ବାୟୁ ଜୁନ ୪ରୁ ୧୦ ମଧ୍ୟରେ ଅନୁଭୂତ ହେବା ଆଶା କରାଯାଉଛି ।