ଆସିଲା ଖୁସି ଖବର, ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ
1 min readଭୁବନେଶ୍ୱର: ତାତିରୁ ମିଳିବ ତ୍ରାହି । ଆସନ୍ତା ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁସାରିଲାଣି । ତେବେ ଯଦି ଆସନ୍ତା ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ରାଜ୍ୟରେ କମିବ ତାପମାତ୍ରା । ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ଉପକୂଳ ଓଡ଼ିଶାରେ ଗତକାଲିଠାରୁ ବଦଳିଛି ପାଗ । ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି କମିଛି । କିଛି ଜିଲ୍ଲାରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।