spot_img

Latest Posts

ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ

ଭୁବନେଶ୍ୱର : ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଥମେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲିଠାରୁ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେଉଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଏଭଳି ବର୍ଷା ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହି କାଳବୈଶାଖୀ ବର୍ଷା ବା ପ୍ରାକ୍ ମୌସୁମୀ ବର୍ଷା ଓଡ଼ିଶାକୁ ମୌସୁମୀ ବାୟୁ ଆଣିବାରେ ସହାୟକ ହେବ। ଏପଟେ ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା। ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ବରଗଡ, ବଲାଙ୍ଗିର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୩ ଡିଗ୍ରୀ ରହିବ । ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି ଜିଲ୍ଲାରେ ବି ତାତି ଲାଗି ରହିବ । ସେହିଭଳି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଏଭଳି ପାଗ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରାଯାଇଛି ।

Latest Posts

Don't Miss