ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ୧୨ ତାରିଖରୁ ପ୍ରଚୁର ବର୍ଷା

1 min read

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ ପ୍ରବେଶ କରିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଉତ୍ତର ବଙ୍ଗୋସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଏହାର ପ୍ରଭାବରେ ବର୍ଷର ପରିମାଣ ବଢିବ । ଏଥିପାଇଁ ୧୧ ଜିଲ୍ଲା କୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୨ ତାରିଖରେ ବର୍ଷା ର ପରିମାଣ ଆହୁରି ବୃଦ୍ଧି ହେବ । ଏଥିପାଇଁ ୯ ଜିଲ୍ଲା କୁ ରେଡ୍ ଆଲର୍ଟ ଜାରି ହୋଇଛି । ବର୍ଷାର ପ୍ରଭାବରେ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ଜଳ ଆସିପାରେ । ଏପରିକି ପାହାଡ଼ିଆ ଅଞ୍ଚଳରେ ଅତଡ଼ା ଖସିବା ଆଶଙ୍କା ଥିବା ବେଳେ, ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିବ । ୧୧ ତାରିଖ ପରେ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିଦିଆଯାଇଛି । କ୍ଷୟକ୍ଷତି ରୋକିବା ଲାଗି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷ କରି ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି । ସେହିପରି ବନ୍ୟା ମୁକାବିଲା ପାଇଁ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ କୁହାଯାଇଛି । ସହରାଞ୍ଚଳରେ ପାଣି ଖଲାସ କରିବା ଏବଂ ତଳିଆ ଅଞ୍ଚଳରେ ଯେମିତି ପାଣି ନ ଜମିବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ମଧ୍ୟ କୁହାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଭିତ୍ତି କରି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

Leave a Reply