ଓଡ଼ିଶାକୁ ଶୀଘ୍ର ଆସିବ ମୌସୁମୀ !

ଭୁବନେଶ୍ବର: ପ୍ରତିବର୍ଷ ଜୁନ୍ ୧୨ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁଥାଏ ମୌସୁମୀ ବାୟୁ । ଚଳିତବର୍ଷ ୬ ଦିନ ପୂର୍ବରୁ ମୌସୁମୀ ବାୟୁ ଆଣ୍ଡାମାନରେ ପହଞ୍ଚିଛି । ଯାହା ଫଳରେ ଓଡ଼ିଶାକୁ ମଧ୍ୟ ଶୀଘ୍ର ଆସିପାରେ ବୋଲି ଆକଳନ କରାଯାଇଛି । ତେବେ ଏନେଇ ବର୍ତ୍ତମାନ ଚିତ୍ର ସ୍ପଷ୍ଟ ହୋଇନଥିବା ଭାରତୀୟ ପାଣିପାଗ ବିଭାଗ କହିଛି ।

ମେ’ ୧୬ ତାରିଖରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ପ୍ରବେଶ କରିଛି ମୌସୁମୀ। ସାଧାରଣତଃ ଏହା ମେ’ ୨୨ ତାରିଖ ବେଳକୁ ଆଣ୍ଡାମାନ ଛୁଇଁଥାଏ। ତେବେ ଚଳିତବର୍ଷ ଏହା ୬ ଦିନ ଆଗରୁ ପହଞ୍ଚିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆଣ୍ଡାମାନ ସାଗରର ଅବଶିଷ୍ଟାଂଶ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ନିକଟରେ ମୌସୁମୀ ବାୟୁ ପହଞ୍ଚିବା ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।