ମାଙ୍କଡ଼ ନେଉଛି ପ୍ରତିଶୋଧ, ଗୋଟିଏ ମାସରେ ମାରିଲାଣି ୨୫୦ରୁ ଅଧିକ କୁକୁର ଛୁଆ

ମହାରାଷ୍ଟ୍ର: ପ୍ରତିଶୋଧ ପରାୟଣ ହୋଇ ଏଠି ଅନେକ କେହି ଅନେକ ପ୍ରକାରର କାଣ୍ଡ ଭିଆଇ ଥାଆନ୍ତି। ଷଡ଼ଯନ୍ତ୍ର ଠାରୁ ଆରମ୍ଭ କରି ହତ୍ୟା ସବୁରି ମୂଳରେ ରହିଥାଏ ପ୍ରତିଶୋଧ। ସେ ମଣିଷ ହେଉକି ପଶୁ, ଉଭୟଙ୍କ ପାଇଁ ଏହା ସମାନ। ଏମତି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ମହାରାଷ୍ଟ୍ରର ବିଡ ଜିଲ୍ଲାରେ। ଏଠି ମଣିଷ ପ୍ରତିଶୋଧ ନେଇନି, ପ୍ରତିଶୋଧ ନେଇଛି ଗୋଟିଏ ମାଙ୍କଡ଼। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ଗତ ମାସରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥି ପାଇଁ ଉକ୍ତ ଅଞ୍ଚଳରେ ଏବେ ମାଙ୍କଡ଼ ମାନେ ପ୍ରତିଶୋଧ ପରାୟଣ ହୋଇଛନ୍ତି। କଥାଟା ହେଉଛି ମହାରାଷ୍ଟ୍ରର ବିଡ ଜିଲ୍ଲାରେ ଏକ କୁକୁର ମାଙ୍କଡ଼ର ଛୁଆକୁ ମାରିଦେଇଥିଲେ। ଯାହାପରେ ମାଙ୍କଡ଼ମାନେ ପ୍ରତିଶୋଧ ନେବା ଆରମ୍ଭ କରିଛନ୍ତି। ରକ୍ତ ବଦଳରେ ରକ୍ତ, ଏହି ଉକ୍ତିକୁ ସାବ୍ୟସ୍ତ କରିବାରେ ଲାଗିଛନ୍ତି ମାଙ୍କଡ଼ ମାନେ। ଆମ ଛୁଆକୁ ମାରିଲ ମାନେ ଏବେ ତୁମ ଛୁଆବି ମରିବ। ମାଙ୍କଡ ଛୁଆକୁ କୁକୁର ମାରିଲା ପରେ ଏବେ କୁକୁର ଛୁଆଙ୍କୁ ମାରିବାରେ ଲାଗିଛନ୍ତି ମାଙ୍କଡ଼। ଗତ ଏକ ମାସ ମଧ୍ୟରେ ମାଙ୍କଡ ମାନେ ପ୍ରାୟ ୨୫୦ କୁକୁର ଛୁଆକୁ ଉପରୁ ଫୋପାଡ଼ି ମାରିଥିବା ଜଣାପଡିଛି। ଖାଲି ସେତିକି ନୁହେଁ, ଏବେ ପ୍ରତିଶୋଧର ମାତ୍ରା ଏତେ ବଢ଼ିଯାଇଛି ଯେ ଛୋଟ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ମାଙ୍କଡ଼।

ମାଜଲଗାଓଁ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ ଲାବୁଲ ଗାଁ। ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବର୍ତ୍ତମାନ କୁକୁର ଛୁଆ ଆଉ ଦେଖିବାକୁ ମିଳୁନାହାଁନ୍ତି। ଗ୍ରାମବାସୀମାନେ ମଧ୍ୟ ମାଙ୍କଡମାନଙ୍କୁ ଧରିବା ପାଇଁ ଜଙ୍ଗଲ ବିଭାଗ ନିକଟକୁ ଯାଇଥିଲେ। ବନ ବିଭାଗର କର୍ମଚାରୀମାନେ ଆସିଥିଲେ ମଧ୍ୟ ସେମାନେ ମାଙ୍କଡ଼ ଧରିବାରେ ବିଫଳ ହୋଇଛନ୍ତି।

ଗାଁ ଲୋକଙ୍କ କହିବା ଅନୁଯାୟୀ ପ୍ରତିଶୋଧ ନେବା ପାଇଁ ମାଙ୍କଡମାନେ ଏହା କରୁଛନ୍ତି। କୁକୁରମାନେ ଏକ ମାଙ୍କଡ ଛୁଆକୁ ହତ୍ୟା କରିବା ପରେ ଏଭଳି ଘଟିଥିବା ଗାଁ ଲୋକେ କହିଛନ୍ତି। ତେବେ ଜଙ୍ଗଲ ବିଭାଗ ବିଫଳ ହେବା ପରେ ଗାଁ ଲୋକ କୁକୁରଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।

Leave a Reply