ଡରାଉଛି ମଙ୍କିପକ୍ସ, ଜାଣନ୍ତୁ ଏହାର ପ୍ରାଥମିକ ଲକ୍ଷଣ ବିଷୟରେ

1 min read

ନୂଆଦିଲ୍ଲୀ: କରୋନା ପରେ ଏବେ ନୂଆ ରୋଗ ଯୋଗୁ ଚିନ୍ତାରେ ପଡ଼ିଯାଇଛି ପୂରା ବିଶ୍ବ । ଏହି ନୂଆ ରୋଗର ନାଁ ହେଲା ମଙ୍କିପକ୍ସ । ମଙ୍କିପକ୍ସ ମଣିଷ ଶରୀରେ ବହୁ ସହଜରେ ବ୍ୟାପୁଥିବା ଦେଖାଯାଉଛି । ଏହି ରୋଗ କ’ଣ? ଏହା କିପରି ବ୍ୟାପୁଛି । ଏହାର ଲକ୍ଷଣ ସବୁ କ’ଣ ରହିଛି ଜାଣନ୍ତୁ ।

ମଙ୍କିପକ୍ସ ହେଉଛି ଜନ୍ତୁଙ୍କଠୁ ମନୁଷ୍ୟଙ୍କୁ ବ୍ୟାପୁଥିବା ରୋଗ । ଏହି ରୋଗ ହେଲେ ମନୁଷ୍ୟ ଶରୀରରେ ଭାତୁଡି ଭଳି ବଡ଼ ବଡ଼ ଗୋଲ୍ ହୋଇ ଫୁଲିଯାଏ । ଏହି ଭାଇରସ ହେଉଛି ଦ୍ବିଗୁଣିତ DNA ଜୀବାଣୁ । ଜାଣନ୍ତୁ ଏହି ଭାଇରସ୍ ବିଷୟରେ ଅଧିକ କିଛି ।

ମଙ୍କିପକ୍ସ ପ୍ରଥମେ କେଉଁଠାରେ ଦେଖାଯାଇଥିଲା?

ମଣିଷ ଶରୀରରେ ମଙ୍କିପକ୍ସ ପ୍ରଥମେ ୧୯୭୦ ମସିହାରେ ରିପବ୍ଲିକ ଅଫ କଙ୍ଗୋର ୯ ବର୍ଷର ବାଳକ ଦେହରେ ଚିହ୍ନଟ ହୋଇଥିଲା, ଏହା ପରଠୁ ଗ୍ରାମାଞ୍ଚଳ, ବର୍ଷା ହେଉଥିବା ଅଞ୍ଚଳରେ ଏହି ମାମଲା ରିପୋର୍ଟ କରାଯାଇଥିଲା। ଏହା ପରେ କଙ୍ଗୋ ଲୋକତାନ୍ତ୍ରୀକ ଗଣରାଜ୍ୟ ଏବଂ ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାରେ ଏହା ବହୁ ମାତ୍ରାରେ ଦେଖାଯାଇଥିଲା ।

କେଉଁ ପ୍ରାଣୀ ମଙ୍କିପକ୍ସ ବିସ୍ତାର କରନ୍ତି?

ଅନେକ ପଶୁ ପ୍ରଜାତି ମଙ୍କିପକ୍ସ ଜୀବାଣୁ ପାଇଁ ଦାୟୀ ବୋଲି କୁହାଯାଇଛି । ମଙ୍କିପକ୍ସ ଭାଇରସକୁ ନେଇ ଇତିହାସରେ ଅନିଶ୍ଚିତତା ଜାରି ରହିଛି । ଏହା କାହିଁକି ପରିବେଶରେ ରହୁଛି ତାହାର କାରଣ ମଧ୍ୟ ଖୋଜିବାକୁ ଅଧ୍ୟୟନ ଜାରି ରହିଛି ।

ଏହାର ଲକ୍ଷଣଗୁଡ଼ିକ କଣ?

ମଙ୍କିପକ୍ସ ସଂକ୍ରମଣ ସାଧାରଣତଃ ଲକ୍ଷଣରୁ ଜଣାପଡ଼େ । ଏହା ୬ ରୁ ୧୩ ଦିନ ଯାଏ ଶରୀରରେ ରହେ । ଏହା ବେଳେବେଳେ ୫ ରୁ ୨୧ ଦିନ ଯାଏ ମଧ୍ୟ ହୋଇପାରେ । ମଙ୍କିପକ୍ସ ହେଲେ ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଶକ୍ତି ଅଭାବ ଭଳି ଲକ୍ଷଣ ଦେଖାଯାଏ । ଏହା ସହ ଛୋଟ ଛୋଟ ପକ୍ସ ଶରୀରରେ ଦେଖାଯାଏ । ଗଳା ଅପେକ୍ଷା ମୁହଁ, ଚର୍ମ, ହାତ ପାପୁଲି ଏବଂ ପାଦରେ ଅଧିକମାତ୍ରାରେ ଦେଖାଯାଏ ।

ଏହାର ଚିକିତ୍ସା କ’ଣ ?

ଯଦି ମଙ୍କିପକ୍ସ ହୋଇଛି ବୋଲି ଯଦି ଆପଣଙ୍କର ସନ୍ଦେହ ହେଉଛି ତାହାଲେ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇ ଚିକିତ୍ସା କରାନ୍ତୁ । ଏହା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସଠିକ ସମୟରେ ସଠିକ୍ ପଦକ୍ଷେପ ନେଲେ ହିଁ ଏହି ରୋଗର ସଙ୍କ୍ରମଣରୁ ରକ୍ଷା ପାଇ ପାରିବା । ମଙ୍କିପକ୍ସ କବଳରୁ ରକ୍ଷା ପାଇବା ପାଇଁ ଟିକା ହିଁ ସଠିକ୍ ଚିକିତ୍ସା । ଏହାର ଟିକା ତିଆରି ପାଇଁ ଏବେ ଗବେଷଣା ଚାଲିଥିବା ଜଣାପଡ଼ିଛି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଏବେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଚିନ୍ତାରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହାକୁ ନେଇ ଖୁବଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ବିଶ୍ବର ବିଭିନ୍ନ ସ୍ଥାନରେ ଏବେ ମଙ୍କିପକ୍ସ ସଂକ୍ରମଣ ବଢିବାରେ ଲାଗିଛି  । ଡବ୍ଲୁଏଚଓ ବୈଠକରେ ସଂକ୍ରମଣର କ୍ଷମତା ଏବଂ ଲୋକଙ୍କୁ କେତେ ମାତ୍ରାରେ ଏହା କ୍ଷତି କରିପାରେ ସେ ପ୍ରସଙ୍ଗରେ ଆଲୋଚନା ହେବ ।

ପୂର୍ବରୁ ଲଣ୍ଡନ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ କାନାଡାରେ ମଙ୍କିପକ୍ସ ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ନାଇଜେରିଆରେ ମଧ୍ୟ ବ୍ୟାପିଥିବା ଆଶଙ୍କା କରାଯାଉଛି । କିଛି ଦିନ ତଳେ ନାଇଜେରିଆରୁ ଫେରିଥିବା ଲଣ୍ଡନର ଜଣେ ବ୍ୟକ୍ତି ମଙ୍କିପକ୍ସରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମଙ୍କିପକ୍ସରେ ସଂକ୍ରମଣ ବହୁତ କୋଚିତ୍ ଲୋକଙ୍କୁ ହେଉଥିବା ବେଳେ ଲୋକେ ଏଥିରେ ଗୁରୁତର ହୋଇପଡନ୍ତି  । ପ୍ରଥମରୁ ଏହା କେବଳ ସାମାନ୍ୟ ଜ୍ବରରୁ ଆରମ୍ଭ ହୋଇଥାଏ  । ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲୋକେ ଏଥିରେ ଗୁରୁତର ହୋଇଯାଆନ୍ତି । କୌଣସି ବନ୍ୟଜନ୍ତୁ କାମୁଡିଲେ କିମ୍ବା ଆମ୍ପୁଡିଲେ ଆଫ୍ରିକ୍ରୀୟ ଦେଶରେ ଏହି ରୋଗ ବ୍ୟାପୁଥିବା କୁହାଯାଇଛି ।