ଆରଏମଆରସିରେ ହେବ ମଙ୍କିପକ୍ସ ନମୂନା ପରୀକ୍ଷା

ଭୁବନେଶ୍ବର: ଦେଶରେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ସତର୍କ ହେଲେଣି ରାଜ୍ୟ ସରକାର । ଭୁବନେଶ୍ୱର ଆରଏମଆରସିରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଆରଏମଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ ରହିଛି ।

ଏନଆଇଭି ପୁନେରୁ କେବଳ କିଟ୍‌ ଅଣାଯାଇ ପରୀକ୍ଷା କରାଯିବ । ନମୁନା ପରୀକ୍ଷା ଅନୁମତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଅଗଷ୍ଟ ମାସ ସୁଦ୍ଧା ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ଆରମ୍ଭ ହୋଇପାରେ ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।

ଏଯାଏଁ ଓଡ଼ିଶାରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି  । ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି । ଜିଲ୍ଲାସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଏସଓପି ଜାରି କରିବ । ଏସସିବି ମେଡିକାଲରେ ମେଡିସିନ୍ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ, ଶିଶୁ ଓ ଚର୍ମରୋଗ ଡାକ୍ତର ତଥା ରାଜ୍ୟ ଏଡ୍ସ କଣ୍ଟ୍ରୋଲ ସୋସାଇଟି ଅଧୀନସ୍ଥ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ଚିକିତ୍ସା ପାଇଁ ତାଲିମ ଦିଆଯିବ  ।