ମଣିଷଙ୍କୁ ଶିକ୍ଷା ଦେଲା ମାଙ୍କଡ଼: ମୃତ୍ୟୁ ପରେ ବି ଛାଡ଼ିଲେନି.. ଜାଣନ୍ତୁ ପୂରା ଘଟଣା
ଚାନ୍ଦବାଲି: ମହାମାରୀ ସମୟରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି । ମଣିଷ ମରିଗଲା ପରେ କେତେକ ଲୋକେ ନିଜର ଆତ୍ମୀୟଙ୍କ ମୃତ ଶରୀରକୁ ଛୁଇଁବାକୁ ଭୟ କରୁଥିବା ବେଳେ ପଶୁର ନିସ୍ୱାର୍ଥପର ଭଲ ପାଇବା ନଜରକୁ ଆସିଛି । ଏସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ ର ସାମନ୍ତରାୟପୁର ପୋଲ ନିକଟରେ ଏକ ହାଇୱା ଧକ୍କା ରେ ମାଙ୍କଡଟିର ମୃତ୍ୟୁ ହୋଇଥିଲା । ମାଙ୍କଡଟିର ମୃତ୍ୟୁ ପରେ ଅନ୍ୟ ସାଥି ମାଙ୍କଡ଼ ମାନେ ରାସ୍ତା ଉପରେ ଘେରାବନ୍ଦୀ କରି ମାଙ୍କଡ଼ଟିକୁ ବଞ୍ଚିଥିବା ଆଶାରେ ତାକୁ ସୁରକ୍ଷା ଦେଉଥିବା ନଜର ଆସିଥିଲା । ଯାହା ଫଳରେ କିଛି ସମୟ ପାଇଁ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଭିଡ଼ିଓରେ ମୃତ ମାଙ୍କଡ଼ ଟିକୁ କିଏ ଗେଲ କରୁଛି ତ ଆଉ କିଏ ମୃତ ମାଙ୍କଡ ନିକଟକୁ ଯେମିତି କେହି ନ ଆସିବେ, ସେଥିପାଇଁ ଘେରାବନ୍ଦୀ କରି ସୁରକ୍ଷା ଦେଉଛନ୍ତି । କିଛି ସମୟ ଧରି ରାଜରାସ୍ତାରେ ମାଙ୍କଡ଼ ମାନଙ୍କର ଏଭଳି ଅନାବିଳ ସ୍ନେହ ଦେଖି ସତେ ଯେମିତି ଦେଖଣାହାରୀ ଅବାକ ହୋଇଯାଇଥିଲେ ।
ତେବେ ଅନେକ ସମୟ ଧରି ମାଙ୍କଡ଼ ଗୁଡିକ ନିଜ ସାଥିକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମୃତ ମାଙ୍କଡ଼ଟି ଆଉ ଉଠିନଥିଲା । ଶେଷରେ ଅନ୍ୟ ସାଥି ମାନେ ନିରାଶ ହୋଇ ସେହି ସ୍ଥାନ ଛାଡିଥିଲେ ।