spot_img

Latest Posts

ସରକାରଙ୍କ ନିୟନ୍ତ୍ରଣରେ ରହିବ ନିଶା ନିବାରଣ କେନ୍ଦ୍ର, ଖୋଲିବ ମନିଟରିଂ ସେଲ୍

ଭୁବନେଶ୍ବର: ସରକାରଙ୍କ ନିୟନ୍ତ୍ରଣରେ ରହିବ ନିଶା ନିବାରଣ କେନ୍ଦ୍ର। ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ନିକଟରେ ସିଗାରେଟ ନିଷେଧାଦେଶ ଅଭିଯାନ ହେବ ଜୋରଦାର। ଖୋଲିବ ରାଜ୍ୟସ୍ତରୀୟ ମନିଟରିଂ ସେଲ୍। ସେଲରେ ରହିବେ ପୋଲିସ ଅଧିକାରୀ, ସ୍ବେଚ୍ଛାସେବୀ। ନିଶାମୁକ୍ତ ଭାରତ ଅଭିଯାନର ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ହୋଇଛି। ଏହି କମିଟି ଜିଲ୍ଲାସ୍ତରୀୟ NMBAର କାର୍ଯ୍ୟକାରିତାକୁ ତଦାରଖ କରିବା, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଭାଗିଦାରୀ ଏବଂ ଜନସହଯୋଗ ବୃଦ୍ଧି କରିବା ଦିଗରେ କାମ କରିବ। ନିଶା ନିବାରଣ କେନ୍ଦ୍ର ପରିଚାଳନା କରୁଥିବା ଏଜେନ୍ସିମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ଉପରେ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟ ଓ ଜିଲ୍ଲାସ୍ତରରେ ଏବଂ ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ ନିଶାମୁକ୍ତ ଅଭିଯାନର କାର୍ଯ୍ୟକାରିତା ପାଇଁ ଏକ ସୋସିଆଲ୍ ମିଡିଆ ରଣନୀତି ପ୍ରସ୍ତୁତ କରାଯିବ।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ରୀଡ଼ା ଏବଂ ଯୋଗକୁ ପ୍ରୋତ୍ସାହନ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ନିଶାର ଅପକାରିତା ସଂପର୍କରେ ସଚେତନ କରାଯିବ। ସମଗ୍ର ରାଜ୍ୟରେ ନିଶାମୁକ୍ତ ଭାରତ ଅଭିଯାନକୁ ଆଗକୁ ନେବା ପାଇଁ ଏନଜିଓ ଏବଂ ଅନ୍ୟାନ୍ୟ ନାଗରିକ ସଂଗଠନ ସହ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡ୍ରଗସ୍ ଚାହିଦା ତଥା ନିଶା ସେବନ ଉପରେ ଅଧିକ କାର୍ଯ୍ୟକଳାପ ପାଇଁ ଏସ୍ଏସ୍ଇପିଡି ବିଭାଗ ଅବକାରୀ ବିଭାଗ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବ। ବିଶେଷ କରି ନିଶା ନିବାରଣ ଅଭିଯାନ, ନିଶାର ଭୟାବହତା ଓ ନିଶା କାରବାର ରୋକିବାକୁ ସରକାରଙ୍କ ପଦକ୍ଷେପ ବାବଦରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ। କମିଟି ପକ୍ଷରୁ ରାଜ୍ୟରେ ଥିବା ନିଶା ନିବାରଣ କେନ୍ଦ୍ରର କାର୍ଯ୍ୟକଳାପ ଉପରେ ନିୟମିତ ଭାବେ ମନିଟରିଂ କରାଯିବ।

କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଶା ସେବନର ଭୟାବହତା ସଂପର୍କରେ ସଚେତନତା ଅଭିଯାନ କରାଯିବ। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

Latest Posts

Don't Miss