ସୁକେଶଙ୍କ ଠାରୁ ଗିଫ୍ଟ ନେଇ ଫସିଲେ ନୋରା: ମନି ଲଣ୍ଡରିଂ ମାମଲାରେ ପଚରା ଉଚରା

1 min read

ମୁମ୍ବାଇ: ରାନବାକ୍ସି କର୍ତ୍ତୃପକ୍ଷଙ୍କଠାରୁ ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟି ଟଙ୍କା ଠକେଇ ମାମଲା । ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଦୀର୍ଘ ସମୟ ଧରି ନୋରାଙ୍କୁ ଜେରା କରିଛି । ୬ ଘଣ୍ଟାରେ ପ୍ରାୟ ୫୦ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । ଏଥିରେ ସୁକେଶଙ୍କଠାରୁ ଉପହାର କେବେ ନେଇଥିଲେ? ତାଙ୍କୁ କେମିତି ଭେଟିଥିଲେ? ଭଳି ପ୍ରଶ୍ନ କରାଯାଇଥିଲା ।

ପୂର୍ବରୁ ସୁକେଶ ଓ ନୋରାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଠକେଇ ଘଟଣାରେ ଦାୟର ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜିସିଟର ଅଭିଯୋଗ ଅନୁସାରେ ବି ଏହି ଜେରା ହୋଇଛି । ଗତ ୨୦୨୦ ଡିସେମ୍ବର ୧୨ ପୂର୍ବରୁ ସୁକେଶ ସହ କଥା ହୋଇଥିବା ଅଭିଯୋଗକୁ ନୋରା ଅସ୍ବୀକାର କରିଥିବାବେଳେ ଠକେଇ ଘଟଣାର ୨ ସପ୍ତାହ ପୂର୍ବରୁ ନୋରାଙ୍କ ସହ କଥା ହୋଇଥିଲେ ବି କହିଥିଲେ ସୁକେଶ ।

ନୋରାଙ୍କୁ ସୁକେଶ ଏକ ବିଏମଡବ୍ଲୁ କାର୍ ଉପହାର ଦେଇଥିବା ନେଇ ନୋରା କହିଛନ୍ତି ସେ ଏହି ଉପହାର ଚାହୁଁ ନଥିଲେ । ପରେ ଏହି କାର୍ ନୋରାଙ୍କ ପରିବାରର ସଦସ୍ୟ ବବି ଖାଁ ନେଇଥିଲେ । ମାତ୍ର ସୁକେଶ କହିଥିଲେ- ନୋରାଙ୍କୁ ସେ ସିଧାସଳଖ କାର୍ ଉପହାର ଦେଇଥିଲେ । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦର ସିଂଙ୍କଠାରୁ ସୁକେଶ ୨୧୫ କୋଟି ଟଙ୍କା ଠକିଥିବା ନେଇ ସୁକେଶଙ୍କ ନାମରେ ଅଭିଯୋଗ ରହିଛି ।