ବ୍ରହ୍ମପୁର ଲାଞ୍ଜିପଲ୍ଲୀ ପୋଖରୀର ପୂନଃଉଦ୍ଧାର ନାଁରେ ନଷ୍ଟ ହେଉଛି ଲକ୍ଷଲକ୍ଷ ଟଙ୍କା
ବ୍ରହ୍ମପୁର : ମାଟିରେ ଲୁଚିଗଲାଣି ପେଭର ବ୍ଲକ । ଗେଟ୍ ଅଛି, ହେଲେ ରାସ୍ତା ଗାଏବ । ଜଙ୍ଗଲ ଭିତରେ ଲୁଚି ଗଲାଣି ବ୍ଯାୟାମ ସରଞ୍ଜାମ । ବିପଦପୂର୍ଣ ଭାବେ ଝୁଲି ରହିଛି ବିଦ୍ଯୁତ ଖୁଣ୍ଟି । ଇଏ ହେଉଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ପୋଖରୀର ଦୃଶ୍ଯ । ଏହାର ସୌନ୍ଦର୍ଯ୍ଯକରଣ ଓ ଲୋକଙ୍କୁ ମର୍ଣ୍ଣିଂ ୱାକ ସହ ବ୍ଯାୟାମ ସୁବିଧା ଯୋଗାଇ ଦେବାକୁ ପୂର୍ବ ସରକାରଙ୍କ ସମୟରେ ଖର୍ଚ୍ଚ ହୋଇଥିଲା ୯ ଲକ୍ଷ ଟଙ୍କା । ୨୦୨୨ ରେ ମୁକ୍ତା ଯୋଜନା ଅଧିନରେ ଏହାର ସୌନ୍ଦର୍ଯ୍ଯକରଣ ଓ ଆଲୋକ ବ୍ଯବସ୍ଥା କରାଯାଇଥିଲା । ପେଭର ବ୍ଲକ ପକାଇ ଜେଲ ରୋଡ ଶିଶୁ ଉଦ୍ୟାନ ନିକଟରୁ ବାଲୁଙ୍କେଶ୍ଵର ଶିବ ମନ୍ଦିର ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା ୬ଶହ ମିଟର ରାସ୍ତା । ୨୦୨୩ରେ ଉଦଘାଟନ ପରେ ଚକାଚକ ବ୍ଯବସ୍ଥାକୁ ଦେଖି ପ୍ରଶଂସା କରିଥିଲେ ସହରବାସୀ । ହେଲେ ଦୁଇବର୍ଷ ନପୁରୁଣୁ ଏହାର ଅବସ୍ଥା ଦେଖନ୍ତୁ । ନା ରାସ୍ତା ଅଛି, ନା ବ୍ଯାୟାମ ସାମଗ୍ରୀ । ଜଙ୍ଗଲ ଭିତରେ ଲୁଚି ଗଲାଣି ବିଦ୍ଯୁତ ଖୁଣ୍ଟ । ଏଥିପାଇଁ ମହାନଗର ନିଗମକୁ ଦାୟି କରିଛନ୍ତି ଲୋକେ ।
ଚଳିତ ବର୍ଷ ଜାନୁଆରୀରେ ବିଇଏମ୍ସି ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିଲା । ମୁକ୍ତା ଯୋଜନା ଅଧୀନରେ ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀକୁ ୧ କୋଟି ୫୭ ଲକ୍ଷ ୩୪ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ହେଲେ ପୋଖରୀରୁ ମାଟି କାଢି ହୁଡ଼ାରେ ପୂର୍ବରୁ ନିର୍ମାଣ ହୋଇଥିବା ପାଦ ଚଲା ରାସ୍ତାରେ ଗଦା କରି ପରବର୍ତ୍ତୀ ସମୟରେ ସଫା ନକରିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବିଇଏମସି କମିଶନରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ଯ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସେପଟେ ଅଞ୍ଚଳ ପୂର୍ବପରି ଆବର୍ଜନାରେ ଭରି ଯାଇଥିବାରୁ ତୁରନ୍ତ ସଫେଇ କରିବାକୁ ଲୋକେ ଦାବି କରିଛନ୍ତି ।