ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ପରିବାରର ନିବେଦନ

କେନ୍ଦ୍ରାପଡା : କେନ୍ଦ୍ରାପଡା କୁତରଙ୍ଗ ପଞ୍ଚାୟତର ରଶ୍ମିରଂଜନ ନାୟକ। ଦିନେ ଡାଟାଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ହେଲେ ହଠାତ ତାଙ୍କର ଗୋଡରେ ସମସ୍ୟା ଦେଖାଗଲା। କେନ୍ଦ୍ରାପଡ଼ାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ । ପରେ ଭଲ ନହେବାରୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସା କରିବାରୁ କ୍ୟାନ୍ସର ହୋଇଥିବା ଜଣାପଡିଲା। ଅନେକ ଚିକିତ୍ସା ପରେ ଭଲ ନହେବାରୁ ରଶ୍ମି ରଞ୍ଜନଙ୍କର୍ ଗୋଟେ ଗୋଡ଼କୁ ଅପରେସନ କରି କଟା ଯାଇଛି। ରଞ୍ଜନ ଏବେ କୌଣସି କାମ କରିନପାରି ଘରେ ପଡି ରହୁଥିବାବେଳେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ବୁଢୀମାଆ କେତକୀ ନାୟକ ଯାହା ଯେଉଁଠୁ ପାଉଛନ୍ତି ସେତିକିରେ ଘରେ ଚଳାଉଛନ୍ତି।

ବୁଢୀ ମାଆକୁ ଯେଉଁ ଭତ୍ତା ଗଣ୍ଡାକ ମିଳୁଛି ସେତକ ପୁଅର ଔଷଧ ଖର୍ଚ୍ଚ କୁ ନିଅଣ୍ଟ। ଗାଁ ଲୋକେ ସାହି ପଡିଶା ଙ୍କ ସହାୟତା ରେ ଘର ଚାଲିଛି। ଓଳିଏ ଖାଇଲେ ଓଳିଏ ଓପାସ ରହୁଛନ୍ତି କେତକୀ। ଏହି ପରିବାରକୁ କୌଣସି ସରକାରୀ ସହାୟତା ମିଳିପାରିନି। ପରିବାରକୁ କେହି ସହାୟତାର ହାତ ବଢାଇଲେ କିଛି ମାତ୍ରାରେ ଦୁଃଖ ଦୂର ହୋଇପାରନ୍ତା। ଦିନେ ଚାକିରି କାରି ଘର ଚଳାଉଥିବା ରୋଜଗାରିଆ ପୁଅର ଏଭଳି ଅବସ୍ଥା ବେଶ ଦୁଃଖଦାୟକ।