ବ୍ୟବସ୍ଥାପକ ହୋଇ ଭାଙ୍ଗିଛନ୍ତି କି ନିୟମ, ଲୋକପ୍ରତିନିଧି ଆଇନର ଉଲ୍ଲଂଘନ କରିଛନ୍ତି ମହମ୍ମଦ ମୋକିମ

1 min read

ଭୁବନେଶ୍ବର: ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଓ ୩୩ର ନିୟମ ଉଲ୍ଲଂଘନ କରିଛନ୍ତି କି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ? ଯଦି ନିୟମ ଭାଙ୍ଗିଥାନ୍ତି ତେବେ ମୋକିମଙ୍କ ରାଜନୈତିକ ଭବିଷ୍ୟତ ବିପଦରେ  । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ କରିଥିବା ମାମଲା ହିଁ କହୁଛି । କେବଳ ସେତିକି ନୁହେଁ ସତ୍ୟପାଠରେ ଅପରାଧୀକ ମାମଲା ନେଇ ଦେଇଥିବା ତଥ୍ୟ ମଧ୍ୟ ଭୁଲ ଅଛି  । ସତ୍ୟପାଠରେ ଉଲ୍ଲେଖ ଅପରାଧୀକ ମାମଲା ଏହାଠାରୁ ଅଧିକ ଅଛି ବୋଲି କହିଛନ୍ତି ଦେବାଶିଷଙ୍କ ଓକିଲ  । ତେବେ କଣ ହେବ ଫୈସଲା ଏବେ ସବୁରି ନଜର କୋର୍ଟଙ୍କ ଉପରେ ରହିଛି  ।

ଜାଲିଆତି କରିଛନ୍ତି କି ମହମ୍ମଦ ମୋକିମ ? ନିର୍ବାଚନ ଲଢିବା ପାଇଁ କରିଛନ୍ତି କି ଫନ୍ଦିଫିକର ? ଫର୍ମ-2Bକୁ ବଦଳାଇବାର କ୍ଷମତା କାହାରି ନାହିଁ  । ତଥାକଥିତ ପ୍ରେସକ୍ରାଇବ ଫର୍ମକୁ ବଦଳାଇଛନ୍ତି କି କଟକ ବାରବାଟୀ ବିଧାୟକ ? କେବଳ ଏତିକି ନୁହେଁ ନିଜ ବିରୋଧରେ ଥିବା ୧୫ଟି ମାମଲା ମଧ୍ୟରୁ ୧୩ଟିର ତାଲିକା ସତ୍ୟପାଠରେ ଉଲ୍ଲେଖ କରିଥିଲେ  । ବାକି ଦୁଇଟିକୁ ଗାଏବ କରିଦେଇଥିଲେ ମୋକିମ  । ଏହାସହ ୨ ଏପ୍ରିଲରେ ନାମାଙ୍କନ ଭରିଥିବା ବେଳେ ୩ ଏପ୍ରିଲର ଦେଇଥିଲେ ସତ୍ୟପାଠ ।

ଯେଉଁଥିରେ ସମ୍ପତ୍ତିର ତାଲିକା ସାଙ୍ଗକୁ ଥିଲା 13ଟି ଅପରାଧୀକ ରେକର୍ଡର ବିବରଣୀ  । ଯେଉଁ ସମ୍ପତ୍ତି ସେ ନିଜର ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ସେଥିରୁ ଅନେକ ତାଙ୍କ ନାଁରେ ନଥିବା ତହସିଲ ରେକର୍ଡରୁ ଜଣାପଡିଛି  । ଏସବୁ ଏବେ ତାଙ୍କ ପାଇଁ ଅଡୁଆ ସ୍ଥିତି ଉତ୍ପନ୍ନ କରିବ ବୋଲି କହିଛନ୍ତି ଦେବାଶିଷଙ୍କ ଓକିଲ । ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୋକିମଙ୍କ ବିଧାୟକ ପଦ ଯିବ  । ତା ସହିତ ଯଦି 15ଟି କେଶରୁ କେଉଁ ଗୋଟିଏରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଆଗାମୀ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ଅଙ୍କୁଶ ଲାଗିବ  ।

ମୋକିମ ନିଜ ଆଡୁ ପ୍ରସ୍ତୁତ କରିଥିବା ନାମାଙ୍କନ ପତ୍ରରେ ବ୍ୟାପକ ହେରଫେର କରିଛନ୍ତି ବୋଲି ଅଭିଯୋଗ ହୋଇଛି । ସେଥିପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି  । ପ୍ରେସକ୍ରାଇବ ଫର୍ମରେ ପାର୍ଟ 2, 3, ଓ 3A ଥିବା ବେଳେ ସେ ତାଙ୍କ ଫର୍ମରୁ ପାର୍ଟ 2କୁ ସମ୍ପୂର୍ଣ୍ଣ ଓ ପାର୍ଟ 3, 3Aରେ ଆଂଶିକ ଉଚ୍ଛେଦ କରିଛନ୍ତି  । ମେଟ୍ରୋ ବିଲଡର ନାଁରେ ଆପର୍ଟମେଣ୍ଟ ପାଇଁ ପାୱାର ଅଫ ଆର୍ଟର୍ଣ୍ଣି ବଳରେ ନେଇଥିବା ଜମିକୁ ନିଜର ବୋଲି ଦର୍ଶାଇଛନ୍ତି  । ଯାହା ମିଥ୍ୟା ଓ ବେଆଇନ  । ସେହିପରି ଏକାଧିକ ଅପରାଧୀକ ମାମଲାରେ ଲାଗିଥିବା ଧାରା ଗୁଡିକୁ ମଧ୍ୟ ସତ୍ୟପାଠରେ ବିଧାୟକ ଦର୍ଶାଇ ନାହାନ୍ତି  । ଯଦି ଏସବୁ ଅଭିଯୋଗ ସତ୍ୟ ହୋଇଥାଏ ତେବେ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ବଢିବ ଏଥିରେ ସନ୍ଦେହ ନାହିଁ  ।

ମୋକିମ କାହିଁକି କଲେ ଲୋକପ୍ରତିନିଧି ଆଇନର ଉଲ୍ଲଂଘନ ? ଜାଲିଆତି ଜାଣତରେ ହୋଇଛି ନା ଅଜାଣତରେ ? ବ୍ୟବସ୍ଥାପକ ହୋଇ କିଭଳି ସେ ଲୋକଙ୍କ ଭରସା ଜିତିବେ ? ସେ ଯାହା ବି ହେଉ ଗତ ସୋମବାରଠାରୁ ମାମଲାରେ ଜେରା ଆରମ୍ଭ ହୋଇଛି  । ପରବର୍ତ୍ତୀ  ଜେରା ତାରିଖ ସେପ୍ଟେମ୍ବର ୨୧ ତାରିଖ ଧାର୍ଯ୍ୟ ହୋଇଛି  । ସେହିଦିନ ମାମଲାର ଶୁଣାଣି କରି କୋର୍ଟ ସତ୍ୟାସତ୍ୟ ସ୍ପଷ୍ଟ କରିଦେବେ ବୋଲି କହିଛନ୍ତି ।