ମୋ ଦେହରେ ଟାଟୁ ଥିବା ଆଗକୁ ଜାଣିଥିଲେ ମୋହିତ, ଏବେ ଯୌତୁକ ପାଇଁ ମୋତେ ନିର୍ଯାତନା ଦେଉଛନ୍ତି

କଟକ: ମୋହିତ ସୋନାଲିଙ୍କ ପ୍ରେମ କାହାଣୀରେ ନୂଆ ଟ୍ୱିଷ୍ଟ। ମୋହିତଙ୍କ ପରେ ମୁହଁ ଖୋଲିଲେ ପତ୍ନୀ ସୋନାଲି। ମୋହିତଙ୍କ ବିରୋଧରେ ରଖିଲେ ସାଂଘାତିକ ଅିଭଯୋଗ। କହିଲେ ଯୌତୁକ ପାଇଁ ଶାଶୂଘର ଦେଉଥିଲେ ନିର୍ଯାତନା। ଅଜଣା ମେଡିସିନ୍ ଖୁଆଇ କରାଇଥିଲେ ଗର୍ଭପାତ। ପୂର୍ବ କଥା ସବୁ ଜାଣି ଅଜଣା ହେଉଛନ୍ତି ମୋହିତ। ଟାଟୁ କଥା ବି ଜାଣିଛନ୍ତି ସ୍ୱାମୀ ବୋଲି କହିଛନ୍ତି ସୋନାଲି। ଯୌତୁକ ପାଇଁ ଅଧିକ ଟଙ୍କା ମାଗିଥିଲେ ହେଲେ ବାପା ଟଙ୍କା ନଦେବାରୁ ଏବେ ଆରମ୍ଭ ହୋଇଛି ବିବାଦ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୋହିତ। ନିଜେ ହିଁ ସୋନାଲି  ଛୁଆ ନଷ୍ଟ କରିଛନ୍ତି ସେ କହିଛନ୍ତି। ସ୍ତ୍ରୀଙ୍କ ଗର୍ଭରେ ରହିଥିବା ଛୁଆ ମୋର ନୁହେଁ କହିଛନ୍ତି ମୋହିତ।

ଆଜି ଏହି ମାମଲାରେ ମହିଳା ଥାନାରେ ସାମ୍ନା ସାମ୍ନି ହୋଇଛନ୍ତି ସ୍ଵାମୀ ମୋହିତ ଓ ସ୍ତ୍ରୀ ସୋନାଲି। ପରବର୍ତ୍ତୀ କାଉନସେଲିଂ ଅଗଷ୍ଟ ୩ ତାରିଖକୁ ରହିଛି। ସେପଟେ ନିଜ ଝିଅକୁ ଆଉ ଶାଶୂଘରକୁ ପଠେଇବେ ନାହିଁ ବୋଲି ସିଧା କହିଛନ୍ତି ସୋନାଲିଙ୍କ ବାପା।

ଏହି ମାମଲାରେ ପଦାକୁ ଆସିଛି ସୋନାଲିଙ୍କ ପୂର୍ବ ବନ୍ଧୁଙ୍କ ଭୂମିକା। ପ୍ରଦୀପ ଅଗସ୍ତିଙ୍କ ପାଇଁ ବିବାଦ ବଢିଥିବା ଅଭିଯୋଗ କରିଥିଲେ ମୋହିତ। ବାଲେଶ୍ୱରରେ ରହୁଥିବା ପ୍ରଦୀପଙ୍କ ନାଁରେ ଟାଟୁ ବନାଯାଇଥିବା ପ୍ରଦୀପ ସ୍ୱୀକାର କରିଛନ୍ତି। ହେଲେ ସୋନାଲିଙ୍କ ବିବାହ ପରେ ତାଙ୍କ ସହ ଯୋଗାଯୋଗ ନାହିଁ। କିନ୍ତୁ ମୋହିତଙ୍କ ପ୍ରମାଣ ସଂଗ୍ରହ ବେଳେ ସୋନାଲିଙ୍କ ଏକ ଭିଡିଓ ମୋହିତଙ୍କୁ ପଠାଇଥିବା କହିଛନ୍ତି ପ୍ରଦୀପ। ତେବେ ସୋନାଲି ପ୍ରଦୀପଙ୍କୁ କଲ କରିଥିବା ଏକ ଫୋନ୍ ରେକର୍ଡ ପଦାକୁ ଆସିଛି। ଏହି କଲରେ ସୋନାଲିଙ୍କୁ ଶାନ୍ତିରେ ସ୍ୱାମୀ ସହିତ ରହିବାକୁ ବୁଝାଉଛନ୍ତି ପ୍ରଦୀପ।

ସେପଟେ ଏହି ଘଟଣାରେ ପ୍ରଦୀପଙ୍କ ଜଣେ ସାଙ୍ଗ ମଧ୍ୟ ସୋନାଲି ସହ କଥା ହୋଇଥିବା ଏକ କଲ ରେକର୍ଡ ପଦାକୁ ଆସିଛି। ପ୍ରଦୀପ ସୋନାଲିକୁ ଭଲପାଉନଥିଲା। ବରଂ ସେ ଟଙ୍କା ହଡ଼ପ କରିବା ଲକ୍ଷ୍ୟରେ ରହିଛି ବୋଲି ସୋନାଲିଙ୍କୁ ବୁଝାଉଛନ୍ତି ପ୍ରଦୀପଙ୍କ ବନ୍ଧୁ ହାପି।

ଫେସବୁକରୁ ପ୍ରେମ, ପରେ ବିବାହ ଏବେ ଛଳନା ଅଭିଯୋଗ। ଘଟଣାରେ କିଏ କହୁଛି ସତ ?  ସବୁ ଜାଣି ଅଜଣା ହେଉଛନ୍ତି କି ମୋହିତ ? ସୋନାଲିଙ୍କ ଅଭିଯୋଗରେ କେତେ ରହିଛି ସତ୍ୟତା ?  ଆଗରୁ କାହିଁକି ସ୍ତ୍ରୀ ଲୋଡି ନଥିଲେ ପୋଲିସର ସହାୟତା ? ଘଟଣାରେ କଣ ରହିଛି ପ୍ରଦୀପଙ୍କ ଭୂମିକା ? ଏସବୁର ଖିଅ ଖୋଜିବାରେ ଲାଗିଛି ପୋଲିସ ।

Leave a Reply