ମଧ୍ୟପ୍ରଦେଶକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ମୋହନ ଯାଦବଙ୍କ ନାମ ଉପରେ ହାଇକମାଣ୍ଡଙ୍କ ମୋହର

ଭୋପାଳ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଉଜ୍ଜୟନୀ ଦକ୍ଷିଣରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ । ସୋମବାର ବିଜେପି ବିଧାୟକ ଦଳର ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର,ଦଳର ଓବିସି ମୋର୍ଚ୍ଚା ମୁଖ୍ୟ କେ. ଲକ୍ଷ୍ମଣ ଓ ସଚିବ ଆଶା ଲକଡାଙ୍କ ଉପସ୍ଥିତିରେ ମୋହନଙ୍କ ନାମ ସ୍ଥିର ହୋଇଥିଲା । ମୋହନ ଯାଦବ ମଧ୍ୟପ୍ରଦେଶରେ ବିଜେପିର ଓବିସି ମୁହଁ ଭାବେ ଜଣାଶୁଣା ।

ସୂଚନାଯୋଗ୍ୟ ଯେ, ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶ ବିଜେପିର ଡାର୍କ୍ ହର୍ସ ଭାବେ ଗଣା ଯାଉଛି । କାରଣ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଶିବରାଜ ସିଂ ଚୌହାନ,ଜ୍ୟୋତିରାଦିତ୍ୟ ସିନ୍ଧିଆ,କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ନାମ ଥିଲା । କିନ୍ତୁ ମୋହନ ଯାଦବଙ୍କ ନାମ ଦୌଡ଼ରେ ନଥିଲା ।
ଅନ୍ୟପକ୍ଷରେ ମିଳୁଥିବା ସୂଚନା ଅନୁସାରେ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ପଦପାଇ ଚୟନ କରାଯିବାକୁ ଅନ୍ୟ ଆଶାୟୀଙ୍କ ସମର୍ଥକ ସହଜରେ ନେଇ ନାହାନ୍ତି । ମିଳୁଥିବା ସୂଚନା ଅନୁସାରେ ବୈଠକ ବାହାରେ ଶିବରାଜଙ୍କ ସମର୍ଥକ ହଟ୍ଟଗୋଳ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ୧୭ ନଭେମ୍ବରରେ ହୋଇଥିବା ନିର୍ବାଚନରେ ବିଜେପି ୨୩୦ ବିଧାନସଭା ଆସନ ମଧ୍ଯରୁ ୧୬୩ ଜିତିଥିଲା । ଯେତେବେଳେ କି କଂଗ୍ରେସ ୬୬ ଆସନରେ ଜିତି ଦ୍ୱିତୀୟ ସ୍ଥାନରେ ଥିଲା । ବିଜେପି ନିର୍ବାଚନରେ କାହାରିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନା କରିନଥିଲା । ଏହି ନିର୍ବାଚନ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାରେ ଲଢିଥିଲା । ମଧ୍ଯପ୍ରଦେଶର ବିଜେପି ଗତ ଦୁଇ ଦଶକ ମଧ୍ଯରେ ପଂଚମ ଥର ପାଇଁ ସରକାର ଗଢିବାକୁ ଯାଉଛି । । ଏହା ପୂର୍ବରୁ ୨୦୦୩,୨୦୦୮,୨୦୧୩ ଓ ୨୦୨୦ରେ ବିଜେପି ସରକାର ଗଠନ କରି ସାରିଛି ।