ନବୀନଙ୍କ ଯୋଜନାର ଫିତା କାଟି ବାହାବା ନେବାରେ ବ୍ୟସ୍ତ ନୂଆ ସରକାର
1 min readଭୁବନେଶ୍ବର : ରଙ୍ଗ ବଦଳା ସରକାର, ନାଁ ବଦଳା ସରକାର । ଗତ ୬ ମାସରୁ ଏହି କଟାକ୍ଷ ଦେଇ ଗତି କରୁଥିବା ମୋହନ ସରକାରଙ୍କ ସହ ଆଉ ଏକ ନାଁ ଯୋଡ଼ି ହେଲା । ତାହା ହେଉଛି ପୁରୁଣା ଯୋଜନାର ଫିତା କଟା ସରକାର । ଏହି ୬ ମାସ ଭିତରେ ନବୀନ ପଟ୍ଟନାୟକ ସରକାର ସମୟର ଯୋଜନାକୁ ପୁଣି ଥରେ କରିବା ନେଇ ମୋହନ ସରକାର ବିରୋଧରେ ଅନେକ ଦୃଷ୍ଟାନ୍ତ ରହିଛି । ଏବେ ଆଉ ପାଦେ ଆଗକୁ ଯାଇ କେବଳ ଫିତା କାଟିବାରେ ବ୍ୟସ୍ତ ଅଛନ୍ତି ମୋହନ ସରକାର । ଆଜି ନିଯୁକ୍ତି ମେଳା ଜରିଆରେ ସାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥି ମେଡିକାଲ୍ ଅଫିସର୍ ଓ ୨୩୯ ଜଣ ରେଡିଓଗ୍ରାଫର୍ ସମେତ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ନବ ନିଯୁକ୍ତ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ନିଯୁକ୍ତି ମେଳାରେ ନିଜ ସରକାରର ନିଯୁକ୍ତି ନୀତିକୁ ଭୁରି ଭୁରି ପ୍ରଶଂସା କରି ଚାଲିଲେ ମୋହନ । ହେଲେ ଯେଉଁ ପରୀକ୍ଷା ଦେଇ ଏହି ୩୭୬ ଜଣ ନିଯୁକ୍ତି ପାଇଲେ, ତାହା ବିଜ୍ଞାପନ ଗତ ବର୍ଷ ପ୍ରକାଶ ପାଇଥିଲା । ମୋହନ ସରକାର କେବଳ ଫଳ ପ୍ରକାଶ କରି ନିଯୁକ୍ତିପତ୍ର ବାଣ୍ଟିଲେ । ସେହିପରି ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ସହିତ ଡାଲମିଆ ଭାରତ ଓ ପୁଲେଲା ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନର ଏକ ବିଶ୍ବସ୍ତରୀୟ ବ୍ୟାଡ଼ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ, ଫେବୃଆରୀ ୨୦୧୯ ମସିହାରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ ପରିସରରେ ତିନି ଏକର ଜମି ଯୋଗାଇ ଦେଇଥିଲେ । ଏହି ସେଣ୍ଟର ନିର୍ମାଣ କରିବା ପାଇଁ ଡାଲମିଆ ଭାରତ ତରଫରୁ ୫୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ଅଟକଳ ହୋଇଥିଲା । କାମ ସରିଥିଲା । କେବଳ ଗତକାଲି ଏହାର ଉଦଘାଟନ କଲେ ମୋହନ ସରକାର । ନବୀନ ଯାହା କରିଥିଲେ, ତାହାର ଆଜି ଫିତା କାଟି ମୋହନ ସରକାର ଅଯଥା ବାହା ବାହା ନେଉଥିବା ବିଜେଡି ଅଭିଯୋଗ କରିଛି ।
ସେପଟେ ବିତଣ୍ଡା ଯୁକ୍ତି କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହାକୁ ନବୀନ ସରକାର ଆରମ୍ଭ କରିଥାଇ ପାରନ୍ତି । କିନ୍ତୁ ଧର୍ମପଦର ବି ଆବଶ୍ଯକତା ରହିଛି କହି ଅଯଥା ଯୁକ୍ତି ବାଢିଛନ୍ତି କ୍ରୀଡା ମନ୍ତ୍ରୀ । କ୍ରୀଡ଼ା ମନ୍ତ୍ରୀଙ୍କ ଏପରି ପିଲାଳିଆମିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଲୋକେ ଜାଣିଛନ୍ତି ନବୀନ ବିକାଶ କରିଛନ୍ତି । ହେଲେ ସେହି ବିକାଶର ପ୍ରଶଂସା ସାଉଣ୍ଟୁଛନ୍ତି ମୋହନ ସରକାର ବୋଲି କହି କ୍ରୀଡ଼ା ମନ୍ତ୍ରୀଙ୍କୁ ବୁଦ୍ଧିଜୀବୀମାନେ କଡ଼ା ଜବାବ ଦେଇଛନ୍ତି ।
କ୍ଷମତାକୁ ଆସିବା ଦିନଠାରୁ ଏପରି ଅନେକ ନବୀନ ଯୋଜନାର କପି ପେଷ୍ଟ କରି ଚାଲିଛନ୍ତି ମୋହନ ସରକାର । ୨୦ ହଜାର କନିଷ୍ଠ ଶିକ୍ଷକ ସ୍କିମାଟିକ୍ ଓ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ କ୍ୟାବିନେଟ ମୋହର ମାରିଥିଲେ ମୋହନ । ହେଲେ ନବୀନ ସରକାର ସମୟରୁ ହିଁ ଏହି ପରୀକ୍ଷା ସରି ଫଳାଫଳ ବାହାରିବା ସହ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପଦ୍ମ ବିଜେତାମାନଙ୍କୁ ସହାୟତା କଥା କହିଲେ ମୋହନ ସରକାର । ହେଲେ ତାହା ନବୀନ କରି ସାରିଥିଲେ । ଋତୁସ୍ରାବ ଛୁଟି ପାଇଁ ନବୀନ ଦେଇଥିଲେ ୧୦ ଦିନ ଛୁଟି । ମୋହନ କିଛି ନୂଆ ନ କରି କେବଳ ଏହାକୁ ଦୁଇ ଦିନ ବୃଦ୍ଧି କରି ଦେଲେ ।