ବର୍ଷ ସରିଲା, ହେଲେ ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେନି ମୋହନ ସରକାର

ଭୁବନେଶ୍ବର: ୨୦୨୪ ସରିଲା, ଆଉ କିଛି ଘଣ୍ଟା ପରେ ଆସିଯିବ ୨୦୨୫ ହେଲେ ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେନି ମୋହନ ସରକାର । ହେଲେ ଯେଉଁ ପ୍ରତିଶ୍ରୁତି ଦେଇ ନଥିଲେ ତାହାକୁ ପାଳନ କରିବାରେ ତତ୍ପରତା ଦେଖାଉଛନ୍ତି । ରଙ୍ଗ ବଦଳାଇବା ସହ ଯୋଜନାର ନାଁ ପରିବର୍ତ୍ତନରେ ସୀମିତ ରହିଛି ସରକାର । ଏପରି କହି ବିଜେପି ସରକାରଙ୍କୁ ବର୍ଷର ଶେଷ ଦିନରେ ଟାର୍ଗେଟ କରିଛି ବିଜେଡି । ସେପଟେ କଂଗ୍ରେସ ପଚାରିଛି କୁଆଡେ ଗଲା ମାଗଣା ବିଜୁଳି ? ତା’ ସାଙ୍ଗକୁ ୩୫୦୦ ଟଙ୍କାର ଭତ୍ତା । ଅନ୍ୟପଟେ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଛି ବିଜେପି । ଯାହାକୁ ନେଇ ବେଶ ସରଗରମ ହୋଇଛି ରାଜ୍ୟ ରାଜନୀତି ।

୨୦୨୪ରେ ରାଜ୍ୟରେ ବଦଳିଲା ସରକାର । ମାଳ ମାଳ ପ୍ରତିଶ୍ରୁତି ଦେଇ ରାଜ୍ୟରେ ସରକାର ଗଠନ କଲା ବିଜେପି । ଏହାରି ଭିତରେ ସରକାର ଗଠନକୁ ୬ ମାସ ଯାଇ ୭ ମାସ ଚାଲିଛି । ହେଲେ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା ବିଜେପି । ଯାହାକୁ ନେଇ ଶାସକ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ କଟାକ୍ଷ କରି କହିଛନ୍ତି, ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇ ନଥିଲା ତାହାକୁ ଭଲ ଭାବେ ପାଳନ କରୁଛି । ସବୁଠି ରଙ୍ଗ ବଦଳାଇଛି, ଯୋଜନାର ନାଁ ପରିବର୍ତ୍ତନ କରିଛି । ଅନେକ ଜନହିତକାରୀ ଯୋଜନା ବି ବନ୍ଦ କରିଛି । ବିଜେପି ସରକାରକୁ ଆସିଲା ପରେ ରାଜ୍ୟରେ ରାସନ୍ ୩ ମାସ ବନ୍ଦ କଲା । ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ଜୀବନ ଗଲା । ଖାଲି ସେତିକି ନୁହେଁ, ଲୋକଙ୍କୁ ନା ମିଳିଲା ମାଗଣା ୩୦୦ ୟୁନିଟ୍ ବିଜୁଳି ନା ମହିଳାଙ୍କୁ ମିଳିଲା ୨ ବର୍ଷରେ ୫୦ ହଜାର ଟଙ୍କା । ଏବେ ମୋହନ ସରକାରଙ୍କୁ ପ୍ରଶ୍ନ କେବେ ମିଳିବ ୩୫୦୦ ଟଙ୍କା ଭତ୍ତା । କାହିଁକି ୬ ମାସ ପରେ ବି ବିଜେପି ସରକାର ନିଜ ପ୍ରତିଶ୍ରୁତି ପାଳନ କରୁନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।

କଂଗ୍ରେସ ମଧ୍ୟ ବିଜେପି ସରକାରର ଲମ୍ବା ବିଫଳତାକୁ ନେଇ ବର୍ଷିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ସରକାର ଓଡ଼ିଶାବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି । ମହିଳା, ଯୁବକ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ବିଜେପି ସରକାର ଠକିଥିବା ଅଭିଯୋଗ କରିଛି କଂଗ୍ରେସ । ହେଲେ ବିଜେପି ରୋକଠୋକ୍ ବିଜେଡି ଓ କଂଗ୍ରେସର ଆରୋପକୁ ଖଣ୍ଡନ କରିଛି ।

ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ମିଳିବା, ସରକାର ଗଠନ ଦିନ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି, ଦାଦନ ରହିବନି ପରି ବଡ଼ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ୨୦୨୪ରେ ଓଡ଼ିଶାବାସୀଙ୍କଠାରୁ ଭୋଟ ନେଇଥିଲା ବିଜେପି । ହେଲେ ସରକାର ଗଠନ ପରେ ଏସବୁ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର ।