ଓଡ଼ିଆ ଭାଷାରେ ଚାଲିବ ଶାସନ ବ୍ୟବସ୍ଥା, କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ବର: ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ମୋହନ ସରକାର ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଲୋକସେବା ଭବନ, ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ପ୍ରତି ବିଭାଗର ସେକ୍ସନ ଅଫିସରଙ୍କୁ ଓଡ଼ିଆ ଭାଷାରେ ସରକାରୀ ଫାଇଲ କାମ କରିବାକୁ ଭାଷାବିତ, ସାହିତ୍ୟିକମାନେ ପ୍ରଶିକ୍ଷଣ ଦେଉଛନ୍ତି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ମେଗା ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ଆଗକୁ ଜିଲ୍ଲାସ୍ତରର କର୍ମଚାରୀଙ୍କୁ ବି ଟ୍ରେନିଂ ଦିଆଯିବ ।

ଆଇନ ଆସିବାକୁ ବିତିଲାଣି ୭୦ ବର୍ଷ । ହେଲେ ଏହା କେବଳ କାଗଜକଲମରେ ସୀମିତ । ଓଡ଼ିଶା ସରକାରୀ ଭାଷା ଆଇନ ଆସିଥିଲା ୧୯୫୪ ଅକ୍ଟୋବର ୧୫ରେ । ୨୦୧୪ରେ ଓଡ଼ିଆ ଭାଷାକୁ ମିଳିଲା ସରକାରୀ ମାନ୍ୟତା । ବାସ୍ତବ କ୍ଷେତ୍ରରେ ଓଡ଼ିଆ ଭାଷାରେ ସମ୍ପୂର୍ଣ୍ଣ ଭାବେ ସରକାରୀ କାମ ଏଯାଏଁ ହୋଇପାରିନାହିଁ । ଅନେକ ଥର ଉଦ୍ୟମ ହୋଇଛି, ହେଲେ ସଫଳତାର ହାର କମ୍ ରହିଛି । ଏବେ ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ସରକାର । ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ଗତ ଜୁଲାଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆରମ୍ଭ ହୋଇଛି କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଚାଲିଛି ୩ ଦିନିଆ ପ୍ରଶିକ୍ଷଣ ଶିବିର । ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଲୋକସେବା ଭବନର ପ୍ରତି ବିଭାଗରୁ ୫ ଜଣ ଲେଖାଏଁ ସେକ୍ସନ ଅଫିସରଙ୍କୁ ଓଡ଼ିଆ ଭାଷାରେ ନୋଟିଙ୍ଗ, ଡ୍ରାଫ୍ଟିଙ୍ଗ ଲେଖିବାର କୌଶଳ ଶିଖାଯାଉଛି ।

ନବୀନ ସରକାରଙ୍କ ଅମଳରେ ବି ଅନେକ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ୨୦୧୦ରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ପ୍ରଶାସନ ଶବ୍ଦକୋଷ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜିଲ୍ଲାପାଳ, ବିଡ଼ିଓଙ୍କ କାର୍ଯ୍ୟାଳୟ ଯାଏଁ ଓଡ଼ିଆ ଭାଷାରେ ଫାଇଲ ମୁଭମେଣ୍ଟ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏବେ ସବୁ କିଛି ଅନଲାଇନରେ ଚାଲୁଥିବାରୁ ସ୍ବତନ୍ତ୍ର ଭାବେ ଓଡ଼ିଆ କି`ବୋର୍ଡ ଏବଂ କମ୍ପ୍ୟୁଟରରେ ଓଡିଆ ଲିପିର ବ୍ୟବସ୍ଥା ବି ହେଉଛି । ଭାଷାବିତ୍, ପୂର୍ବତନ ପ୍ରଶାସକମାନେ ପର୍ଯ୍ୟାୟ କ୍ରମେ କର୍ମଚାରୀଙ୍କୁ ଟ୍ରେନିଂ ଦେଉଥିବା ବେଳେ ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ମାନସିକତାର ଅଭାବ ଥିବା କଥା କହିଛନ୍ତି । ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନେକ ଉପାଦେୟ ହେଉଛି ବୋଲି କର୍ମଚାରୀମାନେ କହିଛନ୍ତି ।

ରାଜ୍ୟସ୍ତରୀୟ କର୍ମଚାରୀଙ୍କୁ ଦୈନନ୍ଦିନ ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ଆଗକୁ ଜିଲ୍ଲାସ୍ତରୀୟ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶାସନ ଶବ୍ଦକୋଷ ଏବଂ ଓଡ଼ିଆ ଭାଷାର ବ୍ୟବହାର ଉପରେ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ରହିଛି ।