ଚାଷୀଙ୍କୁ ବିଜେପି ସରକାରର ଧୋକା, ଭୁଆଁ ବୁଲାବାକୁ କରୁଛନ୍ତି ଚେଷ୍ଟା
1 min readଭୁବନେଶ୍ବର: ସମସ୍ତଙ୍କ ମୁହଁରେ ଆହାର ଦେଉଥିବା ଚାଷୀଙ୍କୁ ବିଜେପି ସରକାରର ଧୋକା । କ୍ଵିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବାର ଲୋଭ ଦେଖାଇ ଭୋଟ ହାତେଇଛି ବିଜେପି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାର ୩୧ ଶହ ଟଙ୍କା ଦେବ କେମିତି । ବୋନସ ଆକାରରେ ବାକି ୮ ଶହ ଟଙ୍କା ଦେବା କଥା କୁହାଯାଉଛି । କିନ୍ତୁ କେନ୍ଦ୍ର ଏଥିପାଇଁ ଅନୁମତି ଦେବ କି ବୋଲି ଉଠିଛି ପ୍ରଶ୍ନ । କାରଣ ଏମଏସପି ଉପରେ ବୋନସ ଦେବାକୁ ବାରଣ କରୁଛି କେନ୍ଦ୍ର । ତା’ହେଲେ ରାଜ୍ୟ ସରକାର କେମିତି ଦେବ ୩୧ ଶହ ଟଙ୍କା । ଚାଷୀଙ୍କୁ ଏହା ଧୋକା ବୋଲି ଅଭିଯୋଗ ହୋଇଛି ।
ରାଜ୍ୟର ଚାଷୀଙ୍କୁ ଭୁଆଁ ବୁଲାବାକୁ ଚେଷ୍ଟା କରୁଛନ୍ତି କି ରାଜ୍ୟ ସରକାର । ଧାନ କିଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବୁ କହି ବିଜେପି ଚାଷୀଙ୍କ ଭୋଟ ତ ନେଲା । ହେଲେ ଏବେ ୩୧ ଶହ ଟଙ୍କା କିଏ ଦେବ ଓ କେମିତି ଦେବ ? କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩ ଶହ ଟଙ୍କା ସ୍ଥିର କରିଛନ୍ତି । ବାକି ୮ ଶହ କିଏ ଦେବ, ରାଜ୍ୟ ସରକାର ନା କେନ୍ଦ୍ର ସରକାର । ଯେହେତୁ ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ସ୍ଥିର କରନ୍ତି, ରାଜ୍ୟ ସରକାର ତାକୁ ନିଜେ ବୃଦ୍ଧି କରିପାରିବେ ନାହିଁ କିମ୍ଵା ନିଜେ ବର୍ଦ୍ଧିତ ମୂଲ୍ୟ ଦେଇପାରିବେ ନାହିଁ । କେନ୍ଦ୍ର ସରକାର ବି ତ ଏମଏସପି ବୃଦ୍ଧି କରି ନାହାନ୍ତି । ତେବେ ଓଡ଼ିଶାର ଚାଷୀ କେମିତି ପାଇବ ୩୧ ଶହ ଟଙ୍କା ।
କୁହାଯାଉଛି, ରାଜ୍ୟ ସରକାର ବୋନସ୍ ଭାବେ ବାକି ୮ ଶହ ଟଙ୍କା ଦେବେ । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ତାଙ୍କ କହିବା ଅନୁସାରେ ଏମଏସପି ଉପରେ ବୋନସ୍ ଦେବାକୁ ଆଗରୁ ହିଁ ବାରଣ କରିଆସୁଛନ୍ତି କେନ୍ଦ୍ର ସରକାର । ଏବେ ରାଜ୍ୟର ବିଜେପି ସରକାର କେମିତି ବୋନସ ଦେବ । ବରଂ ଚାଷୀଙ୍କୁ ଭୁଆଁ ନ ବୁଲାଇ କେନ୍ଦ୍ର ସରକାର ସ୍ଵାମୀନାଥନ କମିଟି ରିପୋର୍ଟ ଲାଗୁ କରନ୍ତୁ, ଧାନର ଏମଏସପି ବୃଦ୍ଧି କରନ୍ତୁ ବୋଲି ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଏଥିପାଇଁ ରାଜ୍ୟର ବିଜେପି ସରକାର କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି ସେ କହିଛନ୍ତି ।
ଏମଏସପି ଉପରେ ବୋନସ୍ ଦେବାକୁ କେନ୍ଦ୍ର ବାରଣ କରିଥିବାରୁ ୨୦୧୩-୧୪ରେ ନବୀନ ସରକାର ସ୍ଵତନ୍ତ୍ର ମରୁଡ଼ି ସହାୟତା ଭାବେ କ୍ଵିଣ୍ଟାଲ ପିଛା ଶହେ ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୫ ସୋହେଲା ସମାବେଶରେ ଏହା ଘୋଷଣା କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶହେ କ୍ଵିଣ୍ଟାଲରୁ କମ୍ ଧାନ ବିକିଥିବା ଚାଷୀଙ୍କୁ ଏହି ସହାୟତା ମିଳିଥିଲା । ନିଜ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ନବୀନ ପଟ୍ଟନାୟକ । କେବଳ ବରଗଡ଼ ଜିଲ୍ଲାରେ ୪୫୫ କୋଟି ଟଙ୍କା ଚାଷୀଙ୍କୁ ଏହି ସ୍ଵତନ୍ତ୍ର ମରୁଡ଼ି ସହାୟତା ଦିଆଯାଇଥିଲା । ହଜାର ହଜାର ଚାଷୀ ଏହା ପାଇଛନ୍ତି । ଚାଷୀମାନେ ଓ ଯୋଗାଣ ଅଧିକାରୀ ବି ଏହା ସ୍ଵୀକାର କରିଛନ୍ତି ।
ଆଉ କିଛି ଦିନ ପରେ ଅମଳ ହେବ ଖରିଫ ଧାନ । ତା’ ପରେ ପରେ ଧାନ କିଣା ବି ଆରମ୍ଭ ହୋଇଯିବ । ସେତେବେଳେ ସତରେ ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୩୧ ଶହ ଟଙ୍କା ମିଳିବ ତ । ନା ଭୋଟ ହାତେଇବା ପରେ କିଛି ନା କିଛି ତଞ୍ଚକତା କରି ଚାଷୀଙ୍କୁ ଭୁଆଁ ବୁଲେଇ ଦେବ ରାଜ୍ୟର ବିଜେପି ସରକାର ।